Coin Monster: Episode 32

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ସେନାପତି ଭଦ୍ରଶାଳ ନାନା ଭ୍ରଷ୍ଟାଚାରରେ ଲିପ୍ତ ଥିଲେ। ଧନନନ୍ଦ ଯୁବରାଜ ସୁକେଶଙ୍କୁ ତାଙ୍କର ଉତ୍ତରାଧିକାରୀ ମନୋନୀତ କରିବା ସତ୍ତ୍ୱେ ସେ ଯୁବରାଜ ସୁତନୁଙ୍କୁ ସିଂହାସନ ଅଧିକାର କରିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଶ୍ଵ ବ୍ୟବସାୟୀ ଶିହରଣଙ୍କୁ ସେନାପତିଙ୍କର ଏ ସମସ୍ତ ଦୁର୍ବଳତା ଜଣା ଥିଲା। ତାଙ୍କୁ ଡକାଇ ନେଇ ଭଦ୍ରଶାଳ ତାଙ୍କର ପରିଚୟ ପଚାରିଲେ। କିନ୍ତୁ ପରିଚୟ ଉନ୍ମୋଚନ ପୂର୍ବରୁ ଶିହରଣ ‘ଏକାନ୍ତ’ ଆବଶ୍ୟକ ବୋଲି କହିଲେ। ସେନାପତି ଅନ୍ୟମାନଙ୍କୁ ବାହାରେ ଅପେକ୍ଷା କରିବାକୁ କହିଲେ। ଏଥର ଶିହରଣ ତାଙ୍କର ପ୍ରକୃତ ପରିଚୟ ଉଦ୍‌ଘାଟନ କଲେ। ସେ କହିଲେ, “ମୁଁ ଯବନ ବାହିନୀ ବିରୁଦ୍ଧରେ ଲଢୁଥିବା ବେଳେ ଚନ୍ଦ୍ରଗୁପ୍ତଙ୍କ ସହ ସେନାପତି ଭୂମିକା ନିର୍ବାହ କରୁଥିଲି। ଆଚାର୍ଯ୍ୟ ଚାଣକ୍ୟଙ୍କ ନିର୍ଦ୍ଦେଶରେ ମୁଁ ପାଟଳୀପୁତ୍ରକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଆସିଛି। ଆପଣ ଚାହିଁଲେ ମୋତେ ବନ୍ଦୀ କରିପାରନ୍ତି। କିନ୍ତୁ ସେଥିରେ ଆପଣଙ୍କ ଉପରକୁ ଘନେଇ ଆସୁଥିବା ବିପଦ ଦୂର ହୋଇଯିବ ନାହିଁ।

ଆପଣଙ୍କ ସହକାରୀ ସେନାନାୟକ ବାଳଗୁପ୍ତ ଏବେ ମନ୍ତ୍ରୀମଣ୍ଡଳ ପାଇଁ ଅଧିକ ବିଶ୍ଵାସ ପାତ୍ର ପ୍ରତୀୟମାନ ହେଉଛନ୍ତି। କୁମାର ସୁକେଶ ଯଦି ସିଂହାସନ ଆରୋହଣ କରନ୍ତି, ତେବେ ଆପଣଙ୍କୁ ରାଜଦ୍ରୋହ ଅପରାଧରେ ମୃତ୍ୟୁ ଦଣ୍ଡ ମିଳିବା ନିଶ୍ଚିତ।” ସେନାଧ୍ୟକ୍ଷ ଭଦ୍ରଶାଳ ଆଶ୍ଚର୍ଯ୍ୟ ହେଲେ। ଏହି ବହିରାଗତ ଅତିଥି ଏତେ ସବୁ ଗୁପ୍ତ କଥା ଜାଣିଲା କେମିତି! ସେ କ୍ରୋଧ କରିବାର ଅଭିନୟ କରି ଶିହରଣଙ୍କୁ ବନ୍ଦୀ କରିବାର ଧମକ ଦେଲେ। ଶିହରଣ କହିଲେ, “ଆପଣ ମୋତେ ହତ୍ୟା କରିଦିଅନ୍ତୁ। କିନ୍ତୁ ସେଥିରେ ଆପଣ ଅଧିକ ଅସୁବିଧାରେ ପଡ଼ିବେ। ବରଂ ଯଦି ଆପଣ ମୋ ପ୍ରସ୍ତାବରେ ସମ୍ମତ ହୁଅନ୍ତି, ତେବେ ମଗଧର ସମ୍ପୂର୍ଣ୍ଣ ସେନାର ଅଧିନାୟକ ହୋଇ ରହିଥିବେ, ମଗଧର ସିଂହାସନ ଯିଏ ବି ଅଧିକାର କରୁ ନା କାହିଁକି!” ଭଦ୍ରଶାଳ ବିସ୍ମୟ ପ୍ରକାଶ କଲେ, “ଅର୍ଥାତ୍?” ଶିହରଣ କହିଲେ, “ପାଞ୍ଚଟିରୁ ଅଧିକ ରାଜ୍ୟର ସେନା ବାହିନୀ ଚନ୍ଦ୍ରଗୁପ୍ତଙ୍କ ନେତୃତ୍ୱରେ ମଗଧ ଉପରେ ଆକ୍ରମଣ କରିବାକୁ ଆସୁଛନ୍ତି। ଯଦି ଏହି ଯୁଦ୍ଧରେ ଆପଣ ଚନ୍ଦ୍ରଗୁପ୍ତଙ୍କ ସହ ସହଯୋଗ କରନ୍ତି ଏବଂ ଯୁଦ୍ଧରେ ମଗଧର ପରାଜୟ ହୁଏ, ତେବେ ଭବିଷ୍ୟତରେ ହାତୀ ଆପଣଙ୍କ ମସ୍ତକରେ ସୁବର୍ଣ୍ଣ କଳସ ଢାଳିବ ବୋଲି ଜାଣନ୍ତୁ। ମୁଁ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବି।” ଭଦ୍ରଶାଳ ଶିହରଣଙ୍କର ପ୍ରସ୍ତାବକୁ ବିଚାର କରିବେ ବୋଲି କହି ତାଙ୍କୁ ଯିବାକୁ ଦେଲେ।

ରାଜା ଧନନନ୍ଦଙ୍କ ଅଧ୍ୟକ୍ଷତାରେ ଯୁଦ୍ଧକାଳୀନ ସମସ୍ୟାର ଆଲୋଚନା ପାଇଁ ସଭା ଆହୂତ ହୋଇଥିଲା। କେହି କେହି ବାହାରୁ ଆକ୍ରମଣ ହେବା ପୂର୍ବରୁ ନେପାଳ ଆକ୍ରମଣ କରିଦେବା ଉଚିତ ହେବ ବୋଲି ମତ ଦେଲେ। ସେନାପତି ଭଦ୍ରଶାଳ ସୀମାରେ ସୈନ୍ୟ ସମାବେଶ କରି ଶତ୍ରୁସୈନ୍ୟଙ୍କୁ ସେହିଠାରେ ପ୍ରତିରୋଧ କରିବାରେ ମଙ୍ଗଳ ହେବ ବୋଲି ପ୍ରସ୍ତାବ ଦେଲେ। ଉପସେନାପତି ବାଳଗୁପ୍ତ କହିଲେ, “ଯୁଦ୍ଧ ପୂର୍ବରୁ ନେପାଳରାଜ ପର୍ବତକଙ୍କୁ ପତ୍ର ମାଧ୍ୟମରେ ଯୁଦ୍ଧରେ ଶତ୍ରୁମାନଙ୍କୁ ସହଯୋଗ ନ କରିବାକୁ ପରାମର୍ଶ ଦିଆଯାଉ। ଅମାତ୍ୟ ରାକ୍ଷସ ଏହି ପ୍ରସ୍ତାବକୁ ସମର୍ଥନ କଲେ ଏବଂ ରାଜଦୂତ ବିରାଧଗୁପ୍ତ ରାଜା ଧନନନ୍ଦଙ୍କ ପତ୍ର ନେଇ ନେପାଳ ଯାତ୍ରା କଲେ। ଯୁଦ୍ଧର ଏତେ ସବୁ ଘନଘଟା ମଧ୍ୟରେ ‘ଯୁବରାଜ ସୁକେଶଙ୍କ ରାଜ୍ୟାଭିଷେକ ସ୍ଥଗିତ ରଖାଯାଉ’ ବୋଲି ମନ୍ତ୍ରୀମଣ୍ଡଳ ପରାମର୍ଶ ଦେଉଥିଲେ। କିନ୍ତୁ ନନ୍ଦ ‘ସ୍ଥିରୀକୃତ ହୋଇଥିବା ଦିବସରେ ସୁକେଶଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ’ ବୋଲି ନିଜ ନିଷ୍ପତ୍ତିରେ ଅଟଳ ରହିଲେ।

ନେପାଳ ସୀମାନ୍ତରେ ବାହ୍ଲୀକରାଜ ଚନ୍ଦ୍ରଗୁପ୍ତ ଏକ ବିରାଟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସହ ଯୋଗ ଦେଇଥିବା କାଶ୍ମୀର, ମାଳବ, କୁଲୁ, ସିନ୍ଧୁସେନ ଏବଂ ମେଘାନନ୍ଦ ଆଦି ଅନ୍ୟ ପାଞ୍ଚଟି ଗଣରାଜ୍ୟର ଗଣାଧିପତି ଯୁଦ୍ଧ ବିଷୟରେ ଆଲୋଚନା ନ କରି ମଗଧ ଜୟ କଲା ପରେ କାହାକୁ କଣ ମିଳିବ, ପ୍ରଥମେ ସେ ବିଷୟରେ ନିଷ୍ପତ୍ତି ହୋଇଯାଉ ବୋଲି ଜିଦ୍ ଧରି ବସିଲେ। ପୁରୁଙ୍କ ପ୍ରତିନିଧି ପୌରବରାଜ କହିଲେ, “ଚାହିଁଲେ ଆପଣମାନେ ମଗଧକୁ ଖଣ୍ଡ ଖଣ୍ଡ କରି ବାଣ୍ଟି ନେଇ ପାରନ୍ତି।” କିନ୍ତୁ ଅନ୍ୟମାନଙ୍କର ଏଥିରେ କୌଣସି ରୁଚି ନ ଥିଲା। ସେମାନେ ମଗଧର ରାଜକୋଷରେ ଥିବା ବିପୁଳ ଧନକୁ ଭାଗ କରିନେବାପାଇଁ ଉତ୍ସାହୀ ଥିଲେ। ତଦ୍‌ବ୍ୟତୀତ ପ୍ରତ୍ୟେକ ଗଣରାଜ୍ୟ ତିନି ହଜାର ଅଶ୍ଵ ଏବଂ ଦୁଇଶତ ରଥ ନିଜ ରାଜ୍ୟକୁ ନେଇଯିବା ସର୍ତ୍ତ ରଖିଲେ। ଚନ୍ଦ୍ରଗୁପ୍ତ ସମଗ୍ର ଭାରତକୁ ଗୋଟିଏ ଶାସନାଧୀନ କରିବା ପାଇଁ ଚେଷ୍ଟିତ ଥିବା ବେଳେ ଏମାନେ ମଗଧକୁ ଶ୍ରୀହୀନ ଏବଂ ଖଣ୍ଡ ଖଣ୍ଡ କରି ନିଜ ନିଜ ରାଜ୍ୟର ସ୍ଵାତନ୍ତ୍ର୍ୟ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯୋଜନା କରୁଥିଲେ। ଏହି ସମୟରେ ପୌରବରାଜ ଏକାନ୍ତରେ ଚନ୍ଦ୍ରଗୁପ୍ତଙ୍କୁ ବ୍ୟକ୍ତିଗତ ପ୍ରସ୍ତାବଟିଏ ଦେଲେ। ସେ କହିଲେ, “ଆମେ ଏମାନଙ୍କୁ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଦେବା। କିନ୍ତୁ ଯୁଦ୍ଧରେ ଜୟଲାଭ କଳା ପରେ ଆପଣ ଓ ମୁଁ ମଗଧକୁ ଦୁଇଭାଗ କରିନେବା। ସେତେବେଳେ ଏମାନଙ୍କୁ ଯୁଦ୍ଧରେ ପରାସ୍ତ କରି ନିଜ ଅଧୀନକୁ ନେଇଯିବା କଷ୍ଟ ସାଧ୍ୟ ହେବ ନାହିଁ।” ଅନ୍ୟ କିଛି ଉପାୟ ନ ଥିଲା। ଅଗତ୍ୟା ଚନ୍ଦ୍ରଗୁପ୍ତ ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଲେ।


କ୍ରମଶଃ

Please follow and like us:
0
20
Pin Share20