Coin Monster: Episode 33

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଇତିହାସରେ ନନ୍ଦ ବଂଶର ପତନ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବରେ କିଛି ବର୍ଣ୍ଣନା ନାହିଁ। ଅନେକଙ୍କ ମତରେ ଚନ୍ଦ୍ରଗୁପ୍ତ ଛୋଟ ଛୋଟ ସେନାବାହିନୀ ନେଇ ନନ୍ଦ ସାମ୍ରାଜ୍ୟର ସୀମାନ୍ତ ଅଞ୍ଚଳରେ ଗରିଲା ଯୁଦ୍ଧ ଚଳାଇ କିଛି ଅଞ୍ଚଳ ଅଧିକାର କରି ନେଉଥିଲେ। ପୁନର୍ବାର ଅନ୍ୟ ଅଞ୍ଚଳରେ ଆକ୍ରମଣ କରୁଥିଲେ। ଏହି ସବୁ ଯୁଦ୍ଧରେ ସେ କେତେକରେ ଜୟଲାଭ କରୁଥିଲେ। ଅନ୍ୟ କେତେକରେ ପରାସ୍ତ ହୋଇ ପଳାୟନ କରୁଥିଲେ। ଏ ସମସ୍ତ ଯୁଦ୍ଧରେ ଚାଣକ୍ୟ ତାଙ୍କ ସହ ଥିଲେ। ଥରେ ଗୁରୁ ଶିଷ୍ୟ ଗୋଟିଏ ଯୁଦ୍ଧରେ ହାରି ପଳାୟନ କରୁଥାନ୍ତି। ପଛେ ପଛେ ମଗଧର ଜଣେ ସେନାପତି ଆସୁଥିବାର ଦେଖାଗଲା। ଉଭୟ ନିରସ୍ତ୍ର ଥିଲେ। ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ନିକଟରେ ଥିବା ଗୋଟିଏ ହ୍ରଦ ମଧ୍ୟକୁ ଲମ୍ପ ପ୍ରଦାନ କରିବାକୁ କହିଲେ ଏବଂ ନିଜେ ସନ୍ନ୍ୟାସୀ ବେଶରେ ଧ୍ୟାନରେ ବସିଗଲେ। ସେନାପତି ନିକଟରେ ପହଞ୍ଚି ଛଦ୍ମବେଶୀ ଚାଣକ୍ୟଙ୍କୁ ‘ସେହି ପଥ ଦେଇ ଜଣେ ଯୋଦ୍ଧା ଯାଇଛି କି ନା’ ପ୍ରଶ୍ନ କଲେ। ଚାଣକ୍ୟ ହ୍ରଦ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ।

ସେନାପତି ହ୍ରଦମଧ୍ୟକୁ ପ୍ରବେଶ କରିବା ପାଇଁ ତାଙ୍କର ତରବାରୀକୁ ତଳେ ରଖି ପୋଷାକ ଖୋଲିଲେ। ତତ୍‌କ୍ଷଣାତ୍ ଚାଣକ୍ୟ ସେହି ତରବାରୀ ଉଠାଇ ସେନାପତିଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କରିଦେଲେ। ଚନ୍ଦ୍ରଗୁପ୍ତ ହ୍ରଦରୁ କୁଳକୁ ଉଠିଆସିଲେ। ଚାଣକ୍ୟ ପ୍ରଶ୍ନ କଲେ, “ମୁଁ ତୁମର ଲୁଚିଥିବା ସ୍ଥାନ ଶତ୍ରୁ ସେନାପତିକୁ ଦେଖାଇଲା ସମୟରେ ତୁମ ମନରେ ମୋ ପ୍ରତି କି ଭାବନା ସୃଷ୍ଟି ହୋଇଥିଲା?” ଚନ୍ଦ୍ରଗୁପ୍ତ ଉତ୍ତର ଦେଲେ, “ସେହି ସେନାପତି ମୋତେ ହତ୍ୟା କରି ଦେଇଥିଲେ ମଧ୍ୟ, ମୁଁ ଶେଷ ପର୍ଯ୍ୟନ୍ତ ଭାବିଥାନ୍ତି ଯେ, ଏଥିରେ ମୋର କିଛି ମଙ୍ଗଳ ନିହିତ ଅଛି।”

ଅନ୍ୟ କେତେକ ଐତିହାସିକ ଚନ୍ଦ୍ରଗୁପ୍ତଙ୍କର ସମ୍ମିଳିତ ସେନା ଏବଂ ମଗଧ ସେନା ମଧ୍ୟରେ ଗୋଟିଏ ନିର୍ଣ୍ଣୟକାରୀ ଯୁଦ୍ଧ ହୋଇଥିଲା ଏବଂ ସେଥିରେ ଚନ୍ଦ୍ରଗୁପ୍ତ ବିଜୟ ଲାଭ କରିଥିଲେ ବୋଲି ମତ ବ୍ୟକ୍ତ କରନ୍ତି। ଆମେ ‘ମୁଦ୍ରାରାକ୍ଷସ’ର ସାରମର୍ମକୁ କେନ୍ଦ୍ରରେ ରଖି ଏହି ଧାରାବାହିକକୁ ଆଗକୁ ନେବା। ଏଥିରେ ଇତିହାସ ସମ୍ମତ କୌଣସି ତଥ୍ୟ ଥିବା ମୁଁ ଦାବୀ କରୁନାହିଁ।

ଚାଣକ୍ୟଙ୍କ ଯୋଜନା ଅନୁସାରେ, ସେନାପତି ଭଦ୍ରଶାଳ ଶିହରଣଙ୍କୁ ରାଜକୁମାର ସୁତନୁଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତି ଦେଇଦେଲେ। ରାଜକୁମାର ସୁକେଶଙ୍କ ରାଜ୍ୟାଭିଷେକ ପୂର୍ବଦିନ ରାତ୍ରିରେ ସୁତନୁ ଶିହରଣଙ୍କ ସହ ମିଶି ସୁକେଶଙ୍କୁ ହତ୍ୟା କରିଦେଲେ ଏବଂ ଏହି ହତ୍ୟାକାଣ୍ଡ ଉପସେନାପତି ବଳଗୁପ୍ତ ଘଟାଇଛନ୍ତି ବୋଲି ପ୍ରଚାର କରିଦେଲେ। ସୁତନୁ ଶିହରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସେ ଯେମିତି ବଳଗୁପ୍ତଙ୍କୁ ହତ୍ୟା କରିଦିଅନ୍ତି। କିନ୍ତୁ ଶିହରଣ ବଳଗୁପ୍ତଙ୍କୁ ଏକ ଭୂତଳସ୍ଥ କକ୍ଷରେ ଲୁଚାଇ ରଖିଲେ।

ସାରା ପାଟଳୀପୁତ୍ରରେ ଯୁବରାଜ ସୁକେଶଙ୍କ ହତ୍ୟା ଏବଂ ତତ୍ ସଙ୍କ୍ରାନ୍ତୀୟ ଷଡଯନ୍ତ୍ରକୁ ନେଇ ନାନା ଗୁଜବ ପ୍ରକାଶ ପାଇଲା। କେହି କେହି ଏହା ସୁତନୁ ଘଟାଇଥାଇପାରନ୍ତି ବୋଲି ବିଶ୍ଵାସ କଲେ। ସେନାପତି ଭଦ୍ରଶାଳଙ୍କର ସମର୍ଥକ ଏବଂ ଉପସେନାପତି ବାଳଗୁପ୍ତଙ୍କର ସମର୍ଥକ ସୈନ୍ୟମାନେ ନିଜ ନିଜ ଭିତରେ ଯୁଦ୍ଧ କରିବାରେ ଲାଗିଲେ। ସାରା ନଗରୀରେ ଅମାନୁଷିକ ମୃତ୍ୟୁଲୀଳା ସଂଘଟିତ ହେଲା। ସେହି ଗଣ୍ଡଗୋଳ ମଧ୍ୟରେ ଶିହରଣ କୁମାର ସୁତନୁଙ୍କୁ ହତ୍ୟା କରିଦେଲେ। ନିଜେ ଶିହରଣ ସୁତନୁଙ୍କ ଅଙ୍ଗରକ୍ଷକ ଦ୍ୱାରା ଛୁରିକାଘାତରେ ମୃତ୍ୟୁ ବରଣ କଲେ। ପାଟଳୀପୁତ୍ରରେ ଏହି ଗୃହଯୁଦ୍ଧ ଚାଲିଥିବା ସମୟରେ ଚନ୍ଦ୍ରଗୁପ୍ତ ନିଜର ମିତ୍ରବାହିନୀ ସହ ପାଟଳୀପୁତ୍ର ଆକ୍ରମଣ କଲେ ଏବଂ ନନ୍ଦ ଆତ୍ମସମର୍ପଣ କଲେ। ସେନାପତି ଭଦ୍ରଶାଳ ଯୁଦ୍ଧରେ ପ୍ରାଣ ହରାଇଲେ। ଧନନନ୍ଦଙ୍କୁ ପାଟଳୀପୁତ୍ରରୁ ନିର୍ବାସନ ଦିଆଗଲା ଏବଂ ଯିବା ସମୟରେ ତାଙ୍କୁ ସେତିକି ପରିମାଣର ଧନ ନେବାପାଇଁ ଅନୁମତି ଦିଆଗଲା, ଯେତିକି ଗୋଟିଏ ରଥରେ ଧରିବ।

ଅମାତ୍ୟ ରାକ୍ଷସ ଆତ୍ମଗୋପନ କଲେ। ମଗଧ ପ୍ରତି ନିଷ୍ଠା ଥିବା କର୍ମଚାରୀଙ୍କୁ ଚାଣକ୍ୟ ଉତ୍ତମ ରୂପେ ଚିହ୍ନି ସାରିଥିଲେ। ସେମାନେ ଥିଲେ ଅମାତ୍ୟ ରାକ୍ଷସ, ଗୁପ୍ତଚର ମୁଖ୍ୟ ଭାଗୁରାୟଣ, ପ୍ରବୀଣ ଗୁପ୍ତଚର ସୁସିଦ୍ଧାର୍ଥକ ଏବଂ ଉପସେନାଧ୍ୟକ୍ଷ ବଳଗୁପ୍ତ। ଏମାନେ ସହଜରେ ଚନ୍ଦ୍ରଗୁପ୍ତଙ୍କ ଅଧୀନତା ସ୍ଵୀକାର କରିବାର ସମ୍ଭାବନା ନ ଥିଲା। ଚନ୍ଦ୍ରଗୁପ୍ତ ମଗଧ ସିଂହାସନରେ ଅଧିରୂଢ ହେଲା ପରେ ପୂର୍ବରୁ ଥିବା ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦିଆଯାଇ ନୂତନ ମନ୍ତ୍ରୀମଣ୍ଡଳ ଗଢା ହେଲା। ସେଥିରେ ପ୍ରଧାନ ଅମାତ୍ୟ ହେଲେ ବିଷ୍ଣୁଗୁପ୍ତ ଚାଣକ୍ୟ।

ମଗଧର ପ୍ରଧାନ ଅମାତ୍ୟ ହେଲା ପରେ ଚାଣକ୍ୟ ପ୍ରଥମେ ପାଟଳୀପୁତ୍ରରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କଲେ। ନନ୍ଦ ନିର୍ବାସିତ ହୋଇଥିଲେ ମଧ୍ୟ ତାଙ୍କର ପରିବାର ରାଜପ୍ରାସାଦରେ ବାସ କରୁଥିଲେ। ଚନ୍ଦ୍ରଗୁପ୍ତଙ୍କର ବ୍ୟକ୍ତିଗତ ସୈନ୍ୟମାନଙ୍କ ମଧ୍ୟରୁ କେତେଜଣଙ୍କୁ ରାଜପ୍ରାସାଦର ସୁରକ୍ଷା ଦାୟିତ୍ଵ ଦିଆଗଲା। ଉପସେନାଧ୍ୟକ୍ଷ ବଳଗୁପ୍ତଙ୍କୁ ମୁଖ୍ୟ ସେନାପତି ପଦ ଦେଇ ତାଙ୍କୁ ନଗରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚାଣକ୍ୟ ନିର୍ଦ୍ଦେଶ ଦେଲେ। ଭାଗୁରାୟଣଙ୍କୁ ମଧ୍ୟ ତାଙ୍କ ପଦରେ ପୂର୍ବପରି କାର୍ଯ୍ୟ କରିବାକୁ କୁହାଗଲା। କିନ୍ତୁ ଭାଗୁରାୟଣ ଏହି ନିଯୁକ୍ତିକୁ ସାଦରେ ଗ୍ରହଣ କଲେ ନାହିଁ। ଚାଣକ୍ୟଙ୍କୁ ସେ କିଛି ଉତ୍ତର ଦେଇ ନ ପାରିଲେ ମଧ୍ୟ ଗୁପ୍ତରେ ରାକ୍ଷସଙ୍କ ସହ ମିଳିତ ହୋଇ ନନ୍ଦ ବଂଶର ପୁନଃପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ଚେଷ୍ଟାରେ ରହିଲେ।

ଅର୍ଥାତ୍ ଏବେ ପାଟଳୀପୁତ୍ରରେ ନନ୍ଦବଂଶ ପ୍ରତି ଆନୁଗତ୍ୟ ଥିବା ଅନେକ ଲୋକ ଗୁପ୍ତରେ ମିଳିତ ହେଉଥିଲେ ଏବଂ ନୂତନ ଶାସନର ମୂଳୋତ୍ପାଟନ ପାଇଁ ଚେଷ୍ଟାରତ ଥିଲେ। କେବଳ ସେତିକି ନୁହେଁ, ଚନ୍ଦ୍ରଗୁପ୍ତଙ୍କ ସହ ଆସିଥିବା ପୌରବରାଜ ପୂର୍ବରୁ ଚନ୍ଦ୍ରଗୁପ୍ତଙ୍କ ସହ କରିଥିବା ଚୁକ୍ତି ଅନୁସାରେ ଅର୍ଦ୍ଧରାଜ୍ୟ ଦାବୀ କରି ବସିଲେ। ଶୀଘ୍ର ସେ ଚାଣକ୍ୟଙ୍କ ନିକଟରେ ନିଜପାଇଁ ଅର୍ଦ୍ଧରାଜ୍ୟ ଏବଂ ଅନ୍ୟ ମିତ୍ର ରାଜ୍ୟମାନଙ୍କ ପାଇଁ ମଗଧ ରାଜ୍ୟର କୋଷାଗାର ତଥା ସୈନ୍ୟ ସମ୍ପଦରୁ ଭାଗ ମାଗିବା ପାଇଁ ଉପସ୍ଥିତ ହେଲେ। ଚାଣକ୍ୟ ସ୍ପଷ୍ଟ ଭାବରେ ଏଭଳି ଦାବୀ ସବୁକୁ ଅଗ୍ରାହ୍ୟ କଲେ। ପରିଣତି ସୁଖଦ ହେବ ନାହିଁ ବୋଲି ସେ ଜାଣିଥିଲେ। କିନ୍ତୁ ସେ ଥିଲେ କୌଟିଲ୍ୟ। ଏହି ମିତ୍ର ରାଜ୍ୟମାନଙ୍କ ମଧ୍ୟରୁ କାହାକୁ କିପରି ନିୟନ୍ତ୍ରଣରେ ରଖାଯାଇ ପାରିବ, ସେ ତାର ଯୋଜନା ପ୍ରସ୍ତୁତ କରିବାକୁ ଲାଗିଲେ l


ସମାପ୍ତ

Please follow and like us:
0
20
Pin Share20