Coin Monster: Episode 34

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ପୌରବରାଜ ପ୍ରବୀଣ ରାଜନୀତିଜ୍ଞ ଥିଲେ। ସେ ଚାଣକ୍ୟଙ୍କ ନାସ୍ତି ବାଣୀକୁ କିଛି ଅତିରଞ୍ଜିତ କରି ଚନ୍ଦ୍ରଗୁପ୍ତଙ୍କ ନିକଟରେ ପ୍ରକାଶ କଲେ। ସେ ଏହା ମଧ୍ୟ କହିଲେ ଯେ, ଚାଣକ୍ୟ ନିଜର ସ୍ଥାନ ସମ୍ରାଟଙ୍କ ଉପରେ ବୋଲି ମନେ କରୁଛନ୍ତି। ସେ କହିଲେ, “ମଗଧ ତାଙ୍କର ମାତୃଭୂମି ଏବଂ ଯେଉଁମାନେ ମଗଧକୁ ଭାଗ ଭାଗ କରିବାକୁ ଚାହିଁବେ, ସେମାନେ ଦଣ୍ଡଯୋଗ୍ୟ ହେବେ, ସେ ଚନ୍ଦ୍ରଗୁପ୍ତ ବି ହୁଅନ୍ତୁ ନା କାହିଁକି!” ଏହା ଶୁଣି ଚନ୍ଦ୍ରଗୁପ୍ତ ଘୋର ବିରକ୍ତି ପ୍ରକାଶ କଲେ ଏବଂ ଆଚାର୍ଯ୍ୟଙ୍କୁ ଏ ବିଷୟରେ ନିଶ୍ଚୟ ପଚାରିବେ ବୋଲି କହିଲେ। ଇତ୍ୟବସରରେ ଗୁପ୍ତଚର ମୁଖ୍ୟ ଭାଗୁରାୟଣଙ୍କୁ ଡାକି ଚାଣକ୍ୟ ନନ୍ଦଙ୍କ ରାଜପୁତ୍ରମାନଙ୍କୁ ହତ୍ୟା କରିବା ଅପରାଧରେ ଅମାତ୍ୟ ରାକ୍ଷସଙ୍କର ଭୂମିକା ଯାଞ୍ଚ କରିବାକୁ ଏବଂ ସାମାନ୍ୟ ସନ୍ଦେହ ହେଲେ ତାଙ୍କୁ ବନ୍ଦୀ କରିବାକୁ ଆଦେଶ ଦେଲେ। ଭାଗୁରାୟଣ ରାକ୍ଷସଙ୍କୁ ଭେଟି ଚାଣକ୍ୟଙ୍କ ଆଦେଶ ଶୁଣାଇଲେ ଏବଂ ଶୀଘ୍ର କେଉଁଠାରେ ଆତ୍ମଗୋପନ କରିବାକୁ ପରାମର୍ଶ ଦେଲେ। ରାକ୍ଷସ ନିଜର ପରିବାରଙ୍କୁ ତାଙ୍କର ବିଶ୍ଵସ୍ତ ମିତ୍ର ଶ୍ରେଷ୍ଠୀ ଚନ୍ଦନ ଦାସଙ୍କ ଘରେ ଛାଡିଦେଇ ପାଟଳୀପୁତ୍ର ବାହାରେ ତପୋବନ ନାମକ ସ୍ଥାନରେ ଲୁଚି ରହିଲେ। ସେହିଠାରେ ରହି ସେ ଚାଣକ୍ୟଙ୍କ ଶତ୍ରୁମାନଙ୍କ ସହ ସମ୍ପର୍କ ରକ୍ଷା କଲେ। ଚନ୍ଦ୍ରଗୁପ୍ତଙ୍କ ଜୀବନ ପ୍ରତି ଆଶଙ୍କା ଥିଲା। ତେଣୁ ଅକ୍ଷୟ ନାମରେ ଚାଣକ୍ୟଙ୍କର ଜଣେ ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କ ଭଳି ରାଜପୋଷାକ ପିନ୍ଧି ବାହାରକୁ ବାହାରୁଥିଲେ। ଚନ୍ଦ୍ରଗୁପ୍ତଙ୍କ ପ୍ରକୃତ ରୂପ ପାଟଳୀପୁତ୍ରରେ ଅଳ୍ପ ଲୋକ ଦେଖିଥିଲେ। ଚନ୍ଦ୍ରଗୁପ୍ତଙ୍କ ରହିବାପାଇଁ ରାଜଭବନରେ ପୂର୍ବରୁ ଗୋଟିଏ ନବନିର୍ମିତ କକ୍ଷ ସ୍ଥିରୀକୃତ ହୋଇଥିଲା। କିନ୍ତୁ ଚାଣକ୍ୟ ନିଜେ ସେ କକ୍ଷକୁ ପରୀକ୍ଷା କରିବାକୁ ଗଲେ। ସେ ଲକ୍ଷ୍ୟ କଲେ, କକ୍ଷର ଚଟାଣର ଗୋଟିଏ କୋଣରୁ ପିମ୍ପୁଡିମାନେ ଅନ୍ନ ଦାନା ମୁହଁରେ ଧରି ବାହାରୁଛନ୍ତି। ରାକ୍ଷସ କିଛି ଆତତାୟୀଙ୍କୁ କକ୍ଷ ତଳେ ଭୂଗର୍ଭରେ ଲୁଚି ରହିବା ବ୍ୟବସ୍ଥା କରିଥିଲେ। ସେମାନେ ରାତ୍ରି ଅର୍ଦ୍ଧରେ ଚଟାଣ ଫୁଟାଇ ପ୍ରକୋଷ୍ଠରେ ପ୍ରବେଶ କରିଥାନ୍ତେ ଏବଂ ଚନ୍ଦ୍ରଗୁପ୍ତଙ୍କୁ ହତ୍ୟା କରିଥାନ୍ତେ। ଚାଣକ୍ୟ କାହାରିକୁ କିଛି ନ କହି କକ୍ଷରୁ ବାହାରି ଆସିଲେ।

ସେହି ଦିନ ରାତ୍ରିରେ ଚନ୍ଦ୍ରଗୁପ୍ତଙ୍କ ପାଇଁ ଉଦ୍ଦିଷ୍ଟ ଶୟନ କକ୍ଷରେ ନିଆଁ ଲାଗି ସମଗ୍ର ପ୍ରକୋଷ୍ଠ ଭସ୍ମସାତ୍ ହୋଇଗଲା। ଚନ୍ଦ୍ରଗୁପ୍ତ ଅଳ୍ପକେ ରକ୍ଷା ପାଇଗଲେ ବୋଲି ପ୍ରଚାରିତ ହେଲା। ଚାଣକ୍ୟ ଏହି ଅଗ୍ନିକାଣ୍ଡ ପଛରେ କାହାର ହାତ ଅଛି, ତଦନ୍ତ କରିବା ଦାୟିତ୍ୱ ଭାଗୁରାୟଣଙ୍କ ଉପରେ ନ୍ୟସ୍ତ କଲେ। ଭାଗୁରାୟଣ ଗୁପ୍ତରେ ରାକ୍ଷସଙ୍କ ସହ ସାକ୍ଷାତ କଲେ। ରାକ୍ଷସ କହିଲେ, “ମୁଁ ଚାରିଜଣ ବ୍ୟକ୍ତିଙ୍କୁ ଭୂଗର୍ଭରେ ଲୁଚି ରହିବା ପାଇଁ ଏବଂ ସୁବିଧା ପାଇଲେ ଚନ୍ଦ୍ରଗୁପ୍ତଙ୍କୁ ହତ୍ୟା କରିବା ପାଇଁ ନିଯୁକ୍ତ କରିଥିଲି। କିନ୍ତୁ ସେହି କୁଟିଳ କୌଟିଲ୍ୟ ମୋର ଯୋଜନାକୁ ପଣ୍ଡ କରିଦେଲା।”

ଚନ୍ଦ୍ରଗୁପ୍ତଙ୍କ ସହ ମଗଧ ବିଜୟ ପାଇଁ ଆସିଥିବା ପୌରବରାଜ ସମେତ ରାଜାମାନେ ନଗରୀରେ ରହିବାର ବ୍ୟବସ୍ଥା କରାଯାଇଥିଲା। ସେମାନେ ଅତ୍ୟନ୍ତ ଆନନ୍ଦରେ କାଳ ବ୍ୟତୀତ କରୁଥିଲେ। ଦାସ ଦାସୀ, ପାନ ଭୋଜନ, ନୃତ୍ୟ ସଙ୍ଗୀତ କେଉଁଥିରେ କିଛି ଅଭାବ ନ ଥିଲା। ଦିନେ ପୌରବରାଜଙ୍କ ସେବାରେ ଜଣେ ନୂତନ ସେବକ ଉପସ୍ଥିତ ହେଲା। ସୁସିଦ୍ଧାର୍ଥକ ନାମକ ସେହି ବ୍ୟକ୍ତି ତୈଳ ମର୍ଦ୍ଦନରେ ପଟୁ ଥିଲା। ଦୁଇ ତିନି ଦିନ ମଧ୍ୟରେ ସେ ପୌରବରାଜଙ୍କର ପ୍ରିୟପାତ୍ର ହୋଇଗଲା। ସେ ସର୍ବଦା କଥା ପ୍ରସଙ୍ଗରେ ଚାଣକ୍ୟଙ୍କର ନିନ୍ଦା ଏବଂ ରାକ୍ଷସଙ୍କର ପ୍ରଶଂସା କରୁଥାଏ। ‘ରାକ୍ଷସଙ୍କର ଜଣେ ଅନୁଚରକୁ ସେ ଜାଣେ’ ବୋଲି କହିଥାଏ। ଦିନେ ପୌରବରାଜ ତାକୁ ରାକ୍ଷସଙ୍କ ସହ ମିଳିତ କରାଇବା ପାଇଁ ଅନୁରୋଧ କଲେ। ‘ଏଥିରେ ବିପଦ ଅଛି’ ବୋଲି କହି ସୁସିଦ୍ଧାର୍ଥକ ଟାଳିବାକୁ ଲାଗିଲା। କିନ୍ତୁ ପୌରବରାଜ ତାକୁ ତାଙ୍କର ହସ୍ତରୁ କାଢି ସୁବର୍ଣ୍ଣ କଙ୍କଣ ଦୁଇଟି ଉତ୍କୋଚ ଦେବାରୁ ସେ ତାଙ୍କୁ ରାକ୍ଷସଙ୍କ ନିକଟକୁ ନେଇଯିବ ବୋଲି ରାଜି ହେଲା।ପାତଳୀପୁତ୍ରକୁ ଆସିବା ପରଠାରୁ ଚନ୍ଦ୍ରଗୁପ୍ତଙ୍କର ମନ ତାଙ୍କର ମାତା ମୁରାଙ୍କ ସାକ୍ଷାତ ପାଇଁ ବ୍ୟାକୁଳ ହେଉଥିଲା।

ଚାଣକ୍ୟ ଚାହୁଁଥିଲେ, ମାତା ପୁତ୍ରଙ୍କର ମିଳନ ହେଉ। ସେ ପ୍ରହରୀ ପଠାଇ ମୁରାଙ୍କୁ ଡକାଇ ଆଣିଲେ। ସଶଙ୍କ ହୃଦୟରେ ମୁରା ରାଜନବରରେ ପ୍ରବେଶ କଲେ। ତାଙ୍କୁ ଆଦରର ସହ ଗୋଟିଏ କକ୍ଷ ଭିତରକୁ ନିଆଗଲା। ସମ୍ମୁଖରେ ବସିଥିଲେ ରାଜପୋଷାକ ପରିହିତ ଚନ୍ଦ୍ରଗୁପ୍ତ। ମୁରା ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, “ମୋତେ ଏଠାକୁ କାହିଁକି ଆଣିଲ? ରାଜଭବନରେ ମୋର କାମ କଣ?” ଚନ୍ଦ୍ରଗୁପ୍ତ ଉଠିଆସି ମାତାଙ୍କ ଚରଣ ସ୍ପର୍ଶ କଲେ। କହିଲେ, “ମୋତେ ଚିହ୍ନି ପାରୁନାହଁ ମା? ମୁଁ ତୁମର ପୁତ୍ର ଚନ୍ଦ୍ର। ଚନ୍ଦ୍ରଗୁପ୍ତ।” ମୁରା ଆଉ ଥରେ ପୁତ୍ର ମୁଖକୁ ଚାହିଁଲେ। କହିଲେ, “ତୁ କଣ ଅଭିନୟ କରିବା ଆରମ୍ଭ କରିଛୁ? ତୋର ଏ ରାଜରାଜେଶ୍ଵର ବେଶ ଦେଖି ମୋର ଆତ୍ମା ତୃପ୍ତ ହୋଇଯାଉଛି। ମୋତେ ଭୁଲାନା। ଏ ସବୁ କୃତ୍ରିମ ପୋଷାକ ଓହ୍ଲାଇଦେଇ ଚାଲ। ଆମେ ଆମ ଘରକୁ ଯିବା।” ଚାଣକ୍ୟ ପ୍ରବେଶ କଲେ। କହିଲେ, “ଦିନେ ମୁଁ ତାକୁ ତୁମ ପାଖରୁ ନେଇଯାଇଥିଲି। ଆଜି ତୁମକୁ ତୁମ ପୁତ୍ର ସହ ମିଳାଇ ଦେଲି। କିନ୍ତୁ ଏବେ ସେ କେବଳ ତୁମର ପୁତ୍ର ଚନ୍ଦ୍ର ନୁହେଁ ମା! ଏବେ ସେ ଭାରତ ମାତାଙ୍କ ପୁତ୍ର! ତା ନାମ ସହ ମୋ ନାମରୁ ଗୁପ୍ତ ଏବଂ ତୁମ ନାମରୁ ମୌର୍ଯ୍ୟ ମିଶାଇ ଦେଇଛି ମୁଁ। ଏବେ ସେ ଭାରତ ବର୍ଷର ଭାବୀ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ।”

ଚନ୍ଦ୍ରଗୁପ୍ତ ଗୋଟିଏ ପରେ ଗୋଟିଏ ନିର୍ଣ୍ଣୟ ନେଉଥିଲେ, ଯାହା ଅନ୍ୟମାନଙ୍କର କଳ୍ପନା ବହିର୍ଭୂତ ଥିଲା। ସେ ଘୋଷଣା କଲେ ଯେ, ଧନ ନନ୍ଦ ପ୍ରାସାଦ ତ୍ୟାଗ କରିଯିବା ପୂର୍ବରୁ ରାଜକୁମାରୀ ଦୁର୍ଧରାଙ୍କ ବିବାହ କୁମାର ଚନ୍ଦ୍ରଗୁପ୍ତଙ୍କ ସହ ସ୍ଥିର କରି ଦେଇ ଯାଇଛନ୍ତି। ଏହି ଘୋଷଣା ଶୁଣିବା ପରେ ମହାରାଣୀ ଏବଂ ନିଜେ ଦୁର୍ଧରା ଘୋର ଆପତ୍ତି ଜଣାଇଲେ। ଚନ୍ଦ୍ରଗୁପ୍ତ ମଧ୍ୟ ତାଙ୍କ ସହ ପରାମର୍ଶ ନ କରି ଏ ସମ୍ବନ୍ଧ ସ୍ଥିର କରିଥିବା ଯୋଗୁଁ ନିଜର ଅସନ୍ତୋଷ ପ୍ରକାଶ କଲେ। ଭାଗୁରାୟଣଙ୍କ ଠାରୁ ଏ ସମ୍ବାଦ ପାଇ ରାକ୍ଷସ କହିଲେ, “ସତରେ ବିଷ୍ଣୁଗୁପ୍ତ ଅତ୍ୟନ୍ତ ଚତୁର। ସେ ରାଜକୁମାରୀଙ୍କ ସହ ଚନ୍ଦ୍ରଗୁପ୍ତର ବିବାହ କରାଇ ଦେଲେ ନନ୍ଦ ବଂଶର କୌଣସି ସମ୍ପର୍କୀୟ ଆଉ ଚନ୍ଦ୍ରଗୁପ୍ତ ବିରୁଦ୍ଧରେ ଯିବାକୁ ଆଗ୍ରହୀ ହେବନାହିଁ। ତେଣୁ ଏ ବିବାହକୁ ବନ୍ଦ କରିବାକୁ ଚେଷ୍ଟା କର।”


କ୍ରମଶଃ

Please follow and like us:
0
20
Pin Share20