ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ସୁସିଦ୍ଧାର୍ଥକ ପୌରବରାଜଙ୍କ ପୁତ୍ର ମଳୟକେତୁକୁ ଅତ୍ୟନ୍ତ ବିଶ୍ଵସ୍ତ ପାତ୍ର ଭଳି ଗୋଟିଏ ସମ୍ବାଦ ଦେଲା। ସେ କହିଲା, “କୁମାର ମଳୟକେତୁ! ଆପଣଙ୍କର ପିତାଙ୍କୁ ବିଷକନ୍ୟା ପଠାଇ ଚାଣକ୍ୟ ମରାଇଛନ୍ତି। ଆପଣଙ୍କର ଜୀବନ ମଧ୍ୟ ବିପଦାପନ୍ନ। ଆପଣ ସାବଧାନ ରହନ୍ତୁ। ଉଚିତ ହେବ, ଆପଣ ପାଟଳୀପୁତ୍ର ତ୍ୟାଗ କରି ନଗର ବାହାରେ ଥିବା ଆପଣଙ୍କ ଶିବିରକୁ ପଳାୟନ କରନ୍ତୁ। ସେହିଠାରେ ଆପଣଙ୍କ ସହ ଅମାତ୍ୟ ରାକ୍ଷସଙ୍କ ସହ ସାକ୍ଷାତ ହେବ।” କହିବା ବାହୁଲ୍ୟ, ସେ ମଳୟକେତୁଙ୍କୁ ଭୟ ଦେଖାଉଥିଲା। ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ମଧ୍ୟ ଚାଣକ୍ୟଙ୍କ ଯୋଜନା ଅନୁସାରେ ମଳୟକେତୁଙ୍କର ଶୁଭଚିନ୍ତକ ଭାବେ ତାଙ୍କ ସହ ପାଟଳୀପୁତ୍ର ତ୍ୟାଗ କଲେ। ଚାଣକ୍ୟଙ୍କ ଜ୍ଞାତସାରରେ ସେମାନେ ଯାଇଥିଲେ। ଅର୍ଥାତ୍ ସେମାନଙ୍କୁ ଯିବାପାଇଁ କେହି କୌଣସି ବାଧା ଦେବେନାହିଁ ବୋଲି କୌଟିଲ୍ୟ ଆଦେଶ ଜାରି କରିଥିଲେ। କିନ୍ତୁ ସେମାନେ ଯିବା ପରେ ନଗରରେ ଧେଣ୍ଡୁରା ବଜାଇ ପ୍ରଚାର କରିଦିଆଗଲା ଯେ ଅମାତ୍ୟ ରାକ୍ଷସ ଚନ୍ଦ୍ରଗୁପ୍ତଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଭୁଲ କ୍ରମେ ଆତତାୟୀ ପୌରବରାଜଙ୍କୁ ହତ୍ୟା କରିଦେଇଛି। ହତ୍ୟା ଅପରାଧରେ ଦୋଷୀ ଅମାତ୍ୟ ରାକ୍ଷସ, ତାଙ୍କର ସାଥୀ ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ଆତ୍ମଗୋପନ କରିଛନ୍ତି। ତାଙ୍କର ସନ୍ଧାନ ଦେବା ବ୍ୟକ୍ତିକୁ ପର୍ଯ୍ୟାପ୍ତ ପୁରସ୍କାର ଦିଆଯିବ।ଚାଣକ୍ୟ ବୁଝିଥିଲେ ଯେ ଲୋକପ୍ରିୟତା ହିଁ ଜଣେ ଜନନାୟକର ସର୍ବଶ୍ରେଷ୍ଠ ପୁଞ୍ଜି। ତେଣୁ ସେ ସମସ୍ତ ନିଷ୍ଠୁର କାର୍ଯ୍ୟ ତାଙ୍କ ଆଦେଶରେ ହେଉଛି ଏବଂ କୁମାର ଚନ୍ଦ୍ରଗୁପ୍ତ ସେଥିପାଇଁ ତାଙ୍କ ଉପରେ ଅସନ୍ତୁଷ୍ଟ ବୋଲି ପ୍ରଚାର କରାଉଥାନ୍ତି। ତାଙ୍କର ଏହି ପ୍ରୟାସ ସଫଳ ମଧ୍ୟ ହେଉଥାଏ।
କ୍ରମେ କ୍ରମେ ଚନ୍ଦ୍ରଗୁପ୍ତଙ୍କ ଜନସମର୍ଥନ ବଢିବାରେ ଲାଗିଥାଏ। ତଥାପି କେଉଁମାନେ ନନ୍ଦବଂଶର ପ୍ରିୟ, ସେମାନଙ୍କୁ ଚିହ୍ନି ରଖିବା ପାଇଁ ଚାଣକ୍ୟଙ୍କ ଗୁପ୍ତଚରମାନେ ନିଯୁକ୍ତ ହୋଇଥାନ୍ତି। ସେମାନେ ବିଭିନ୍ନ ଭାଷା ବୁଝିପାରୁଥିଲେ, କହିପାରୁଥିଲେ। ନାନା ପ୍ରକାର ଛଦ୍ମବେଶ ଧାରଣ କରି ସେମାନେ ସମ୍ବାଦ ସଂଗ୍ରହ କରୁଥିଲେ। ଏହିପରି ଏକ ଗୁପ୍ତଚର ଥିଲା ନିପୁଣକ। ତାକୁ ରାକ୍ଷସଙ୍କ ପରିବାରର ଅବସ୍ଥିତି ସମ୍ପର୍କରେ ତଥ୍ୟ ଅନୁସନ୍ଧାନ ପାଇଁ ଚାଣକ୍ୟ ନିଯୁକ୍ତ କରିଥିଲେ। ନିପୁଣକ ସାରା ପାଟଳୀପୁତ୍ରରେ ବୁଲି ବୁଲି ଅନୁସନ୍ଧାନ କରୁଥିଲା। ଦିନେ ସେ ହୀରା ବ୍ୟବସାୟୀ ଶ୍ରେଷ୍ଠୀ ଚନ୍ଦନ ଦାସଙ୍କ ଗୃହ ସମ୍ମୁଖସ୍ଥ ରାଜପଥ ଉପରେ ଗୀତ ଗାଇ ଅଭିନୟ କରୁଥିଲା। ଶ୍ରେଷ୍ଠୀଙ୍କ ଗୃହ ମଧ୍ୟରୁ ସୁନ୍ଦର ବାଳକଟିଏ ବାହାରକୁ ବାହାରି ଆସିଲା। ତା ପଛରେ ଜଣେ ମହିଳା ବ୍ୟସ୍ତ ହୋଇ ଚିତ୍କାର କରୁଥାନ୍ତି, “ଗଲା, ଗଲା। ତାକୁ କିଏ ଦେଖିନେବ। ତାକୁ ଅଟକାଅ।” କହୁଁ କହୁଁ ସେହି ମହିଳା ବାହାରକୁ ଆସି ପିଲାଟିକୁ ଟାଣି ନେଇଗଲେ। ଅଜାଣତରେ ତାଙ୍କ ହାତରୁ ମୁଦ୍ରିକାଟିଏ ଖସି ପଡିଲା। ନିପୁଣକ ଅତ୍ୟନ୍ତ ନିପୁଣତାର ସହିତ ସେହି ମୁଦ୍ରିକାଟିକୁ ଅନ୍ୟମାନଙ୍କ ଅଲକ୍ଷ୍ୟରେ ଉଠାଇ ଆଣିଲା। ସେଥିରେ ରାକ୍ଷସଙ୍କ ନାମ ଲେଖା ଥିଲା। ସେ ଅବିଳମ୍ବେ ଚାଣକ୍ୟଙ୍କ ନିକଟରେ ଉପସ୍ଥିତ ହେଲା। ସେ ଆହୁରି କେତୋଟି ଆବଶ୍ୟକୀୟ ସନ୍ଦେଶ ମଧ୍ୟ ଆଣିଥିଲା। ନଗରର ଅନ୍ୟତମ ବ୍ୟବସାୟୀ ଶକଟ ଦାସ ମଧ୍ୟ ଅମାତ୍ୟ ରାକ୍ଷସଙ୍କର ଭକ୍ତ ବୋଲି ସେ ଜାଣିପାରିଥିଲା।
ଚାଣକ୍ୟ ନିଜର ଶିଷ୍ୟ ଶାର୍ଙ୍ଗରବକୁ ସିଦ୍ଧାର୍ଥକ ନାମରେ ଜଣେ ଗୁପ୍ତଚରକୁ ଡକାଇ ଆଣିବାକୁ ଆଦେଶ ଦେଲେ। ସେ ପ୍ରଥମେ ଅମାତ୍ୟଙ୍କ ସହ ସମ୍ପର୍କରେ ଥିଲା। କିନ୍ତୁ ଚାଣକ୍ୟ ତାକୁ ସାମ, ଦାନ, ଦଣ୍ଡ ନୀତି ପ୍ରୟୋଗ କରି ନିଜ ପକ୍ଷରେ କାର୍ଯ୍ୟ କରିବାକୁ ରାଜି କରାଇଥିଲେ। ସେ ତାକୁ ଶକଟଦାସ ନିକଟକୁ ପଠାଇଲେ। ସିଦ୍ଧାର୍ଥକ ଶକଟ ଦାସକୁ ରାକ୍ଷସଙ୍କ ମୁଦ୍ରିକା ଦେଖାଇ ତାଙ୍କ ନିକଟରୁ ଆସିଛି ବୋଲି କହିଲା। ରାକ୍ଷସଙ୍କ ପରିବାର ସମ୍ପର୍କରେ କିଛି ସମ୍ବାଦ ଥିଲେ, ପତ୍ର ଲେଖି ତା ହାତରେ ଦେବା ପାଇଁ କହିବାରୁ ଶକଟ ଦାସ ଚିଠି ଲେଖି ସିଦ୍ଧାର୍ଥକ ହସ୍ତରେ ଦେଲେ। ଚିଠି ନେଇ ଆସିବା ପରେ ସିଦ୍ଧାର୍ଥକ ଚାଣକ୍ୟଙ୍କ ଦ୍ଵାରା ନିଯୁକ୍ତ ନଗର ରକ୍ଷୀ ହାତରେ ଧରା ପଡିଗଲା। ବାସ୍ତବରେ ସେ ନିଜକୁ ଧରା ଦେଇଥିଲା। ସେହି ଚିଠିକୁ ଆଧାର କରି ଶକଟ ଦାସ ରାକ୍ଷସଙ୍କ ସହ ମିଶି ପୌରବ ରାଜଙ୍କୁ ହତ୍ୟା କରିବା ଯୋଜନାରେ ସାମିଲ ଥିଲା ବୋଲି ଚାଣକ୍ୟ ତାକୁ ଦୋଷୀ ସାବ୍ୟସ୍ତ କଲେ। ନଗରରେ ଘୋଷଣା ହେଲା, “ଶକଟ ଦାସ ରାଜଦ୍ରୋହ ଅପରାଧରେ ଫାଶୀ ପାଇବ।” ଚାଣକ୍ୟ କାଳପାଶିକ ଏବଂ ଦଣ୍ଡପାଶିକ ନାମରେ ଦୁଇ ଘାତକଙ୍କୁ ଶକଟ ଦାସକୁ ହତ୍ୟା କରିବା ପାଇଁ ଫାଶୀ ଖୁଣ୍ଟ ନିକଟକୁ ନେବା ପାଇଁ କହିଲେ। ତାଙ୍କ ପଛରେ ସିଦ୍ଧାର୍ଥକକୁ ପଠାଇ ଦେଲେ ଶକଟଦାସକୁ ଫାଶୀ ଖୁଣ୍ଟ ନିକଟରୁ ବଞ୍ଚାଇ ଆଣିବା ପାଇଁ। ପୂର୍ବ ଯୋଜନା ଅନୁଯାୟୀ କାଳପାଶିକ ଏବଂ ଦଣ୍ଡପାଶିକ ମଧ୍ୟ ସେ ଦୁହିଁକୁ ପଳାୟନ କରିବା ପାଇଁ ସୁଯୋଗ ଦେଲେ। ଏ ସବୁ କରିବାର ଉଦ୍ଦେଶ୍ୟ ଦୁଇଟି ଥିଲା। ପାଟଳୀପୁତ୍ରର ଲୋକେ ଚନ୍ଦ୍ରଗୁପ୍ତଙ୍କର ବିରୋଧ କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଜାଣିଲେ। ଦ୍ୱିତୀୟରେ ଅମାତ୍ୟ ରାକ୍ଷସ ଶକଟ ଦାସଙ୍କୁ ସାକ୍ଷାତ ମୃତ୍ୟୁ ମୁଖରୁ ରକ୍ଷା କରି ତାଙ୍କ ନିକଟରେ ପହଞ୍ଚାଇଥିବା ସିଦ୍ଧାର୍ଥକକୁ ତାଙ୍କର ଅନ୍ତରଙ୍ଗ ବୋଲି ବିଶ୍ଵାସ କରିବାକୁ ଲାଗିଲେ।
କ୍ରମଶଃ