Coin Monster: Episode 37

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭର ଐତିହାସିକ କାହାଣୀ

ମୁଦ୍ରାରାକ୍ଷସର କାହାଣୀ ଅତ୍ୟନ୍ତ ଜଟିଳ। ତେଣୁ ମୋତେ ମଝିରେ ମଝିରେ ବିଗତ ପ୍ରସଙ୍ଗ  ସବୁକୁ ଏକତ୍ର କରି ସଂକ୍ଷେପରେ ପୁନରାବୃତ୍ତି କରିବାକୁ ପଡିବ। ଏ ପର୍ଯ୍ୟନ୍ତ ଆମେ ପଢିଛନ୍ତି- "ନନ୍ଦ ବଂଶ ପ୍ରତି ଅନୁରକ୍ତ ଅମାତ୍ୟ ରାକ୍ଷସ ପାଟଳୀପୁତ୍ର ବାହାରେ କୌଣସି ଏକ ଗୁପ୍ତ ସ୍ଥାନରେ ଅଛନ୍ତି। ତାଙ୍କର ସମର୍ଥକ ଶକଟ ଦାସକୁ ଫାଶୀଖୁଣ୍ଟରୁ ବଞ୍ଚାଇ 'ସିଦ୍ଧାର୍ଥକ' ରାକ୍ଷସଙ୍କ ନିକଟକୁ ନେଇ ଯାଇଛନ୍ତି। ମଳୟକେତୁଙ୍କ ଜୀବନ ବିପଦାପନ୍ନ ବୋଲି କହି ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ତାଙ୍କୁ ସାଙ୍ଗରେ ନେଇ ନଗର ବାହାରେ ଥିବା ସେନା ଶିବିରକୁ ପଳାୟନ କରିଛନ୍ତି। ଏମାନଙ୍କ ମଧ୍ୟରୁ ସିଦ୍ଧାର୍ଥକ, ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ଚାଣକ୍ୟଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପୂର୍ବରୁ ସୂଚନା ଦିଆଯାଇଛି।" ଏବେ ଆଗକୁ- ]

ଇତ୍ୟବସରରେ ଚନ୍ଦ୍ରଗୁପ୍ତ ପୌରବରାଜଙ୍କ ଦଶାହ କାର୍ଯ୍ୟରେ ତାଙ୍କର ଶରୀରରୁ ବାହାରିଥିବା ଆଭୂଷଣମାନ ବ୍ରାହ୍ମଣମାନଙ୍କୁ ଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କଲେ। ଚାଣକ୍ୟ ଏହି ପ୍ରସ୍ତାବକୁ ଅତ୍ୟନ୍ତ ପ୍ରସନ୍ନତାର ସହ ସ୍ୱାଗତ କଲେ। କିନ୍ତୁ ଦାନ ଗ୍ରହଣ ପାଇଁ ବେଦଜ୍ଞ ବ୍ରାହ୍ମଣମାନଙ୍କୁ ସେ ନିଜେ ପଠାଇବେ ବୋଲି ଜଣାଇ ଦେଲେ। ଅନୁଷ୍ଠାନ ଯଥାରୀତି ସମ୍ପନ୍ନ ହେଲା। ଦ୍ଵିଜମାନଙ୍କୁ ସ୍ଵର୍ଣ୍ଣ, ରତ୍ନ ଅଲଙ୍କାରମାନ ଦାନ ମଧ୍ୟ ଦିଆଗଲା। ପୌରବରାଜଙ୍କ ଶରୀରର ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ଯଥେଷ୍ଟ ମୂଲ୍ୟ ଦେଇ ଚାଣକ୍ୟ ବ୍ରାହ୍ମଣମାନଙ୍କଠାରୁ ରଖିନେଲେ। ଏହି ଅଳଙ୍କାରସବୁକୁ ସେ ନିଜର ବିଶ୍ଵସ୍ତ ଦୂତଙ୍କ ହସ୍ତରେ ସୁସିଦ୍ଧାର୍ଥକ ନିକଟକୁ ପଠାଇଦେଲେ। ତାଙ୍କଠାରୁ ପ୍ରାପ୍ତ  ସୂଚନା ଅନୁସାରେ ସୁସିଦ୍ଧାର୍ଥକ ସେହି ଅଳଙ୍କାର ସବୁ ମଳୟକେତୁ ଉପହାର ରୂପେ ପଠାଇଛନ୍ତି ବୋଲି କହି ଅମାତ୍ୟ ରାକ୍ଷସଙ୍କୁ ଅର୍ପଣ କଲା। ରାକ୍ଷସ ସେତେବେଳକୁ ସମସ୍ତ ଭୂଷଣ ପରିଧାନ ବର୍ଜନ କରିଥାନ୍ତି। ସୁସିଦ୍ଧାର୍ଥକ କହିଲା,"ଅମାତ୍ୟ ମହାଶୟ, ଆପଣ ଏହି ଅଳଙ୍କାର ପରିଧାନ କରିବାପାଇଁ ମଳୟକେତୁ ବିନମ୍ର ନିବେଦନ କରିଛନ୍ତି। ଆପଣ ତାଙ୍କ ମନ ରକ୍ଷା କରି କିଛିଦିନ ପାଇଁ ଏହା ଶ୍ରୀଅଙ୍ଗରେ ଧାରଣ କରନ୍ତୁ। ଏହା କହି ସେ ନିଜେ ସେ ସବୁ ରାକ୍ଷସଙ୍କ ଗଳା ଏବଂ ହସ୍ତରେ ପିନ୍ଧାଇ ଦେଲା।

ଚାଣକ୍ୟଙ୍କ ଚକ୍ରାନ୍ତର ଜାଲ ଭିତରକୁ ତାଙ୍କର ଶତ୍ରୁମାନେ ନିଜେ ନିଜେ ପଶିଯାଉଥିଲେ। ଶକଟ ଦାସ ନିଜେ ଅମାତ୍ୟ ରାକ୍ଷସଙ୍କ ନିକଟରେ ବର୍ଣ୍ଣନା କଲା ଯେ, ସିଦ୍ଧାର୍ଥକ କିପରି ନିଜ ଜୀବନକୁ ବିପଦାପନ୍ନ କରି ଘାତକଦୁହିଁଙ୍କ ହସ୍ତରୁ ତାର ଜୀବନ ରକ୍ଷା କରିଛି। ଏହା ଶୁଣି ଅମାତ୍ୟ ରାକ୍ଷସ ସିଦ୍ଧାର୍ଥକ ଉପରେ ପ୍ରସନ୍ନ ହୋଇ ତାଙ୍କ ଶରୀରରେ ଥିବା ଅଳଙ୍କାରମାନ ସିଦ୍ଧାର୍ଥକକୁ ପୁରସ୍କାର ରୂପେ ଦେଇଦେଲେ। ସେ ପଚାରିଲେ,"ଏବେ କୁଆଡେ ଯିବ ସିଦ୍ଧାର୍ଥକ?" ସିଦ୍ଧାର୍ଥକ କହିଲା, "ଆଉ ପାଟଳୀପୁତ୍ରକୁ ଫେରିବାର ଉପାୟ ନାହିଁ। ସେହି ଦୁଷ୍ଟ ବିଷ୍ଣୁଗୁପ୍ତ ମୋତେ କି ଦଣ୍ଡ ଦେବ କହିହେଉନାହିଁ। ଭାବୁଛି, ବୈଶାଳୀକୁ ଯାଇ ସଂଘର ଶରଣ ନେବି।" ରାକ୍ଷସ କହିଲେ, "ତୁମର କୁଆଡେ ଯିବା ଆବଶ୍ୟକ ନାହିଁ। ତୁମେ ଆଜିଠାରୁ ମୋ ନିକଟରେ ରହିବ। ଏଠାରେ ତୁମ ଜୀବନ ପ୍ରତି କୌଣସି ବିପଦ ନାହିଁ।" ସିଦ୍ଧାର୍ଥ କହିଲା, "ଯଦି ମୁଁ ଏଠାରେ ରହିବି, ତେବେ ଏ ଅଳଙ୍କାର ସବୁ ମୋର ଅମାନତ ହୋଇ ଆପଣଙ୍କ ନିକଟରେ ଥାଉ।" ରାକ୍ଷସଙ୍କର ଆପତ୍ତି କରିବାର ନ ଥିଲା।

ଅମାତ୍ୟ ରାକ୍ଷସ ଶକଟ ଦାସଠାରୁ ପାଟଳୀପୁତ୍ରର ଅନ୍ୟାନ୍ୟ ସମ୍ବାଦ ଜାଣିବାକୁ ଚାହିଁଲେ। ଶକଟ ଦାସ କହିଲା, "ଚନ୍ଦ୍ରଗୁପ୍ତ ପୌରବରାଜଙ୍କ ସହ ମଗଧକୁ ଭାଗ କରିବା ପାଇଁ ବଚନ ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ମଳୟକେତୁଙ୍କର ପାଟଳୀପୁତ୍ରରୁ ପଳାୟନ ପଛରେ ବିଷ୍ଣୁଗୁପ୍ତଙ୍କର ହାତ ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି। ଅନେକ କଥାରେ ଉଭୟଙ୍କ ମଧ୍ୟରେ ମତଭେଦ ଉପୁଜୁଛି। ସବୁକଥାରେ ଚାଣକ୍ୟଙ୍କ ହସ୍ତକ୍ଷେପରେ ଚନ୍ଦ୍ରଗୁପ୍ତ ବିରକ୍ତ ହେଉଥିବା ସମ୍ବାଦ ମୋ କର୍ଣ୍ଣକୁ ଆସିଛି।" ରାକ୍ଷସ କହିଲେ, "ଏହାହିଁ ସୁଯୋଗ। ପାତଳୀପୁତ୍ରରେ ମୋର ପରିଚିତ ଜଣେ 'ଭାଟ' ଅଛି। ତାକୁ ସମ୍ବାଦ ଦିଅ, ଯେତେବେଳେ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମଧ୍ୟରେ ବିବାଦ ହେବ, ସେ ସୁଯୋଗ ଦେଖି ଚନ୍ଦ୍ରଗୁପ୍ତ ନିକଟକୁ ଯାଇ ତାର ପ୍ରଶସ୍ତି ଗାନ କରିବ। ଯେମିତି ଚନ୍ଦ୍ରଗୁପ୍ତ ନିଜକୁ ସର୍ବେସର୍ବା ଭାବି ବିଷ୍ଣୁଗୁପ୍ତକୁ ତୁଚ୍ଛ ଜ୍ଞାନ କରିବ। ଚନ୍ଦ୍ରଗୁପ୍ତଠାରୁ ବିଷ୍ଣୁଗୁପ୍ତ ବିଚ୍ଛିନ୍ନ ହୋଇଗଲେ, ତାକୁ ଆଉ କେହି ବଞ୍ଚାଇ ପାରିବେ ନାହିଁ।" 

ଏଣେ ଚାଣକ୍ୟଙ୍କ ପରବର୍ତ୍ତୀ ଯୋଜନା ଶୀଘ୍ର କାର୍ଯ୍ୟାନ୍ୱିତ ହେଲା। ପାଟଳୀପୁତ୍ରର ସମ୍ମାନିତ ହୀରା ବ୍ୟବସାୟୀ ଶ୍ରେଷ୍ଠୀ ଚନ୍ଦନଦାସ ଚାଣକ୍ୟଙ୍କ ଦରବାରରେ ଉପସ୍ଥିତ ହେଲେ। ଚାଣକ୍ୟ ତାଙ୍କୁ ଅତ୍ୟନ୍ତ ସମ୍ମାନର ସହ ସମ୍ବୋଧନ କଲେ, "ଆସନ୍ତୁ ଶ୍ରେଷ୍ଠୀ ମହାଶୟ, ଆସନ ଗ୍ରହଣ କରନ୍ତୁ।" ଚନ୍ଦନ ଦାସ କୌଟିଲ୍ୟଙ୍କ କଟାକ୍ଷ ବୁଝିପାରିଲେ। ସେ କହିଲେ, "ଆପଣଙ୍କ ସମ୍ମୁଖରେ ବସିବାର ଯୋଗ୍ୟତା ମୋର ନାହିଁ ଅମାତ୍ୟ! ଅନୁଚିତ ସମ୍ମାନ ତିରସ୍କାରଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ। ଆପଣ ଆଜ୍ଞା କରନ୍ତୁ। କେଉଁଥିପାଇଁ ଆପଣ ମୋତେ ଡକାଇଛନ୍ତି?" ଚାଣକ୍ୟ କହିଲେ, "ଆପଣ ନଗରର ସମ୍ମାନାସ୍ପଦ ବ୍ୟକ୍ତି। ଏହି ସମ୍ମାନ ପାଇଁ ଆପଣ ଯୋଗ୍ୟ। ଉପବେଶନ କରନ୍ତୁ!" ଅଗତ୍ୟା ଚନ୍ଦନ ଦାସ ଆସନ ଗ୍ରହଣ କଲେ। ଚାଣକ୍ୟ ତାଙ୍କୁ ପ୍ରଥମେ କିଛି ସୌଜନ୍ୟମୂଳକ କୁଶଳବାର୍ତ୍ତା ପ୍ରଶ୍ନ କଲେ। କହିଲେ,"କହନ୍ତୁ ଶ୍ରେଷ୍ଠୀ ମହାଶୟ, ଆପଣଙ୍କ ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି ହେଉଛି ତ? ପ୍ରଜାମାନେ ଚନ୍ଦ୍ରଗୁପ୍ତଙ୍କ ଉପରେ ସନ୍ତୁଷ୍ଟ ତ?" ଚନ୍ଦନ ଦାସ କହିଲେ, "ହଁ ମହାଶୟ!" ଚାଣକ୍ୟ ପଚାରିଲେ, "ଆପଣ ମଧ୍ୟ ଚନ୍ଦ୍ରଗୁପ୍ତଙ୍କ ଶାସନକୁ ସମର୍ଥନ କରୁଛନ୍ତି ନା?" ଚନ୍ଦନ ଦାସ ଚମକିଲେ। ସମ୍ଭ୍ରମର ସହ ପଚାରିଲେ, "ଆପଣଙ୍କ ଏ ପ୍ରଶ୍ନ କରିବାର ଅର୍ଥ ମୁଁ ବୁଝିପାରୁନାହିଁ।" ଚାଣକ୍ୟ କହିଲେ, "ଯଦି ଆପଣ କୁମାର ଚନ୍ଦ୍ରଗୁପ୍ତଙ୍କୁ ଶ୍ରଦ୍ଧା କରୁଥାନ୍ତେ, କେବେ ହେଲେ ଅମାତ୍ୟ ରାକ୍ଷସଙ୍କ ପରିବାରକୁ ଆଶ୍ରୟ ଦେଇ ନ ଥାନ୍ତେ।" ଚନ୍ଦନ ଦାସ କହିଲେ, "ଏ ସମ୍ପର୍କରେ ଆପଣଙ୍କୁ କେହି ଭୁଲ ସମ୍ବାଦ ଦେଇଛି।" କୌଟିଲ୍ୟ କହିଲେ, "ଅଯଥା ଭୁଲାନ୍ତୁ ନାହିଁ। ଯଦି ନିଜର ମଙ୍ଗଳ ଚାହୁଁଥାନ୍ତି ତେବେ ରାକ୍ଷସଙ୍କ ପରିବାରକୁ ସମର୍ପଣ କରିଦିଅନ୍ତୁ!" ଚନ୍ଦନ ଦାସ ଦମ୍ଭର ସହ ଉତ୍ତର ଦେଲେ, "ସେମାନେ ମୋ ନିକଟରେ ନାହାନ୍ତି। ଯଦି ଥାଆନ୍ତେ, ତେବେ ମଧ୍ୟ ମୁଁ ଆପଣଙ୍କ ନିକଟରେ କଦାପି ସେମାନଙ୍କୁ ସମର୍ପଣ କରି ନ ଥାନ୍ତି।"

ଚାଣକ୍ୟ ମନେ ମନେ ଚନ୍ଦନ ଦାସଙ୍କର ବ୍ୟକ୍ତିତ୍ୱର ପ୍ରଶଂସା କଲେ। କିନ୍ତୁ ପ୍ରକାଶ୍ୟରେ ଶାର୍ଙ୍ଗରବକୁ ଡାକି ଆଦେଶ ଦେଲେ, "କାଳପାଶିକ ଏବଂ ଦଣ୍ଡପାଶିକଙ୍କୁ କୁହ, ଚନ୍ଦନ ଦାସଙ୍କୁ ସପରିବାର ବନ୍ଦୀଶାଳାରେ ସେ ପର୍ଯ୍ୟନ୍ତ ରଖିବେ, ଯେ ପର୍ଯ୍ୟନ୍ତ କୁମାର ଚନ୍ଦ୍ରଗୁପ୍ତ ସେମାନଙ୍କୁ ରାଜଦ୍ରୋହ ଅପରାଧରେ ମୃତ୍ୟୁଦଣ୍ଡ ନ ଦେଇଛନ୍ତି।" ଆଦେଶ ପାଳିତ ହେଲା।ନନ୍ଦନନ୍ଦିନୀଙ୍କୁ ଡାକି ଚାଣକ୍ୟ କହିଲେ, "ଦେବୀ ଦୁର୍ଧରା, ଆପଣଙ୍କ ପିତାଙ୍କ ନିର୍ବାସନ ପାଇଁ ଆପଣ ମୋତେ ଦୋଷ ଦେଇ ପାରନ୍ତି। କିନ୍ତୁ କୁମାର ଚନ୍ଦ୍ରଗୁପ୍ତ ନିର୍ଦୋଷ। ଆପଣ ତାଙ୍କୁ ବିବାହ କରିଥିଲେ ଉଭୟ କୁଳ ପାଇଁ ମଙ୍ଗଳ ହୋଇଥାନ୍ତା। ତଥାପି ଯଦି ଆପଣଙ୍କ ମନରେ କିଛି ଦ୍ଵେଷ ଥାଏ, ଆପଣ ତାକୁ ଦୂର କରିଦିଅନ୍ତୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କ ଇଚ୍ଛା ବିରୁଦ୍ଧରେ କେହି ଆପଣଙ୍କ ବିବାହ କାହାରି ସାଙ୍ଗରେ କରାଇପାରିବ ନାହିଁ।" ଚାଣକ୍ୟଙ୍କ ମଧୁର ବାକ୍ୟରେ ଚନ୍ଦ୍ରଗୁପ୍ତଙ୍କ ପ୍ରତି ଦୁର୍ଧରାଙ୍କ ଅନ୍ତରରେ ଥିବା ଘୃଣା ଏବଂ କ୍ରୋଧ ଶମିତ ହେଲାଭଳି ଲାଗିଲା। 'ମୋତେ ଚିନ୍ତା କରିବାକୁ ସମୟ ଦିଅନ୍ତୁ' କହି ସେ ପ୍ରସ୍ଥାନ କଲେ।

କ୍ରମଶଃ

Please follow and like us:
0
20
Pin Share20