ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ପ୍ରତ୍ୟେକ ବର୍ଷ ପାଟଳୀପୁତ୍ରରେ ଶରତ ପୂର୍ଣ୍ଣିମାରେ କୌମୁଦୀ ଉତ୍ସବ ପାଳିତ ହୁଏ। ପ୍ରଜାମାନଙ୍କ ପରିପୂର୍ଣ୍ଣ ମନୋରଂଜନ ପାଇଁ ଏ ବର୍ଷ କୌମୁଦୀ ପର୍ବ ମହା ଆଡମ୍ବରରେ ପାଳନ କରାଯିବାର ବ୍ୟବସ୍ଥା କରିବାକୁ ଚନ୍ଦ୍ରଗୁପ୍ତ ଆଦେଶ ଦେଇଥିଲେ। କିନ୍ତୁ ପ୍ରଭାତରେ ପ୍ରାସାଦ ଉପରକୁ ଯାଇ କୁମାର ଚନ୍ଦ୍ରଗୁପ୍ତ ଲକ୍ଷ୍ୟ କଲେ ଯେ ନଗରରେ କୌଣସି କୋଳାହଳ ନାହିଁ। ଗୀତ ବାଦ୍ୟର ଶବ୍ଦ ଶୁଭୁନାହିଁ। ନଗ୍ରଜନମାନେ ନୂତନ ବସ୍ତ୍ର ପରିଧାନ କରି ସୁସଜ୍ଜିତ ବିପଣୀମାଳା ସମ୍ମୁଖରେ ଆତଯାତ ହେଉନାହାନ୍ତି। ସେ ତାଙ୍କର ଅଙ୍ଗରକ୍ଷିଣୀ ଶୋଣୋତ୍ତରାକୁ ଏହାର କାରଣ ପଚାରିଲେ। ଶୋଣୋତ୍ତରା କହିଲେ, “ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ସହରରେ କୌଣସି ପ୍ରକାର ଉତ୍ସବ ପାଳନ ଉପରେ ନିଷେଧାଦେଶ ଜାରି କରିଦେଇଛନ୍ତି। ତେଣୁ ଏ ବର୍ଷ କୌମୁଦୀ ଉତ୍ସବ ପାଳିତ ହେଉନାହିଁ।” ଚନ୍ଦ୍ରଗୁପ୍ତଙ୍କର କ୍ରୋଧ ସୀମା ଲଙ୍ଘନ କଲା।
ତଥାପି ସେ ଧୈର୍ଯ୍ୟ ଧରି ପଚାରିଲେ, “ମୁଁ ଉତ୍ସବ ପାଳନ ପାଇଁ ଆଦେଶ ଦେଇଥିବା ବିଷୟରେ ସେ ଜାଣିଥିଲେ?” ଶୋଣୋତ୍ତରା କହିଲା, “ଆଚାର୍ଯ୍ୟ କହିଲେ, ସୀମାନ୍ତରେ ଶତ୍ରୁ ଛାଉଣୀ ପକାଇ ବସିଥିବା ବେଳେ ଏଭଳି ଉତ୍ସବ ପାଳନ ବିପଦକୁ ଆମନ୍ତ୍ରଣ କରିପାରେ।” ଚନ୍ଦ୍ରଗୁପ୍ତ କହିଲେ,”ତା ହେଲେ ମୋର ସିଂହାସନରେ ବସିବାର ପ୍ରୟୋଜନ କଣ? ଚାଲ। ଏବେ ମୁଁ ଆଚାର୍ଯ୍ୟଙ୍କ ଠାରୁ ଏହାର ସ୍ପଷ୍ଟୀକରଣ ଦାବୀ କରିବି।” ସେ କୌଟିଲ୍ୟଙ୍କ କକ୍ଷରେ ପ୍ରବେଶ କରି ରୁକ୍ଷ କଣ୍ଠରେ ପ୍ରଶ୍ନ କଲେ, “ମୁଁ କୌମୁଦୀ ଉତ୍ସବ ପାଳନ କରିବାକୁ ଆଦେଶ ଦେଇଥିଲି। ଆପଣ ତାହା ଉପରେ ନିଷେଧାଦେଶ ଜାରି କଲେ କିପରି? ମୋର ଆଦେଶର କଣ କିଛି ମୂଲ୍ୟ ନାହିଁ?” ଆଚାର୍ଯ୍ୟ ଚାଣକ୍ୟ ନିଜର ଏକାନ୍ତ ଅନୁଗତ ଶିଷ୍ୟଠାରୁ ଏପରି ଔଦ୍ଧତ୍ୟ ଆଶା କରି ନ ଥିଲେ। ସେ କହିଲେ, “ତୁମେ ରାଜପଦ ମଣ୍ଡନ କରିଛ ସତ୍ୟ, ହେଲେ ତୁମେ ଏବେ ମଧ୍ୟ ରାଜନୀତି ସମ୍ପର୍କରେ ଅନଭିଜ୍ଞ କୁମାର! ପୌରବରାଜଙ୍କ ମୃତ୍ୟୁରେ ପାଟଳୀପୁତ୍ର ଶୋକ ପାଳନ କରୁଛି।
ଏ ସମୟରେ ଉତ୍ସବ କରିବା କେତେଦୂର ଯୁକ୍ତିଯୁକ୍ତ?” ଚନ୍ଦ୍ରଗୁପ୍ତ କହିଲେ, “ଆପଣଙ୍କର ସ୍ଵର୍ଗତ ପୌରବରାଜଙ୍କ ପ୍ରତି ଏତେ ପ୍ରୀତି କେବେଠାରୁ ଜାଗ୍ରତ ହେଲାଣି ଆଚାର୍ଯ୍ୟ?” ଚାଣକ୍ୟ କହିଲେ, “ମଳୟକେତୁ ଏବଂ ଅନ୍ୟ ଚାରି ମିତ୍ର ରାଜାଙ୍କ ସହ ମିଶି ଅମାତ୍ୟ ରାକ୍ଷସ ମଗଧ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ସମୟରେ ତାର ପ୍ରତିରୋଧ କିମ୍ବା ପ୍ରତି ଆକ୍ରମଣ ସମ୍ପର୍କରେ ଚିନ୍ତା ନ କରି ଉତ୍ସବ ପାଳନ ପାଇଁ ଏତେ ଉତ୍ସୁକ କାହିଁକି?” ଚନ୍ଦ୍ରଗୁପ୍ତ କହିଲେ, “ଆପଣ ବିଭିନ୍ନ ଆଳରେ ମୋ ଆଦେଶ ଉଲ୍ଲଂଘନ କରୁଛନ୍ତି। ଆପଣ ଦେଖାଇବାକୁ ଚାହାନ୍ତି ଯେ ଆପଣ ସର୍ବେସର୍ବା। ମୁଁ ଆପଣଙ୍କ ଅଧୀନସ୍ଥ କର୍ମଚାରୀ। ଆପଣଙ୍କ ଅପେକ୍ଷା ଅମାତ୍ୟ ରାକ୍ଷସ ଅଧିକ ପ୍ରଭୁଭକ୍ତ, ଯିଏ ଏ ପର୍ଯ୍ୟନ୍ତ ନନ୍ଦ ରାଜବଂଶର ପୁନଃପ୍ରତିଷ୍ଠା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି।” ଚାଣକ୍ୟ କକ୍ଷର ବାତାୟନ ଦେଇ ଲକ୍ଷ୍ୟ କଲେ ଯେ କକ୍ଷ ବାହାରେ ବାତାୟନ ନିକଟରେ ଦଣ୍ଡାୟମାନ ହୋଇଥିବା ଜଣେ ବ୍ୟକ୍ତିର ଛାୟା ଦୃଷ୍ଟିଗୋଚର ହେଉଛି।
ଅର୍ଥାତ ତାଙ୍କର ବାର୍ତ୍ତାଳାପକୁ କେହି ଲୁଚି ରହି ଶୁଣିବାକୁ ଚେଷ୍ଟା କରୁଛି। ସେ ଉଚ୍ଚ କଣ୍ଠରେ ଚନ୍ଦ୍ରଗୁପ୍ତଙ୍କୁ ତିରସ୍କାର କରିବାକୁ ଲାଗିଲେ। କହିଲେ, “କୁମାର, ତୁମେ ଅକୃତଜ୍ଞ। ଭୁଲନାହିଁ ଯେ, ତୁମକୁ ଏ ସ୍ଥାନରେ ମୁଁ ବସାଇଛି। ମୁଁ ଚାହିଁଲେ, ତୁମକୁ ସିଂହାସନରୁ ଓହ୍ଲାଇ ଦେଇ ପାରେଁ। କିନ୍ତୁ ନିଜ ହାତରେ ଲଗାଇଥିବା ବୃକ୍ଷକୁ ମୁଁ କାଟିପାରିବି ନାହିଁ। ଆଜିଠାରୁ ତୁମେ ମୋର ରାଜା ନୁହେଁ, ମୁଁ ତୁମର ମନ୍ତ୍ରୀ ନୁହେଁ। ତୁମେ ମୋର ଶିଷ୍ୟ ନୁହେଁ, ମୁଁ ତୁମର ଆଚାର୍ଯ୍ୟ ନୁହେଁ। ବିଦାୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ମୁଁ ଆଜି ରାଜଭବନ ତ୍ୟାଗ କରି ଯାଉଛି।” ଚନ୍ଦ୍ରଗୁପ୍ତ ମଧ୍ୟ ନିଜର ଆବେଶ ସମ୍ଭାଳି ପାରିଲେ ନାହିଁ। ସେ କହିଲେ, “ବୀର ଭୋଗ୍ୟା ବସୁନ୍ଧରା! ଏ ରାଜପଦ ମୋର ପରାକ୍ରମ ଦ୍ଵାରା ମିଳିଛି। ଏହା ଆପଣଙ୍କ ଦୟାର ଦାନ ନୁହେଁ। ଯାଆନ୍ତୁ ବିଷ୍ଣୁଗୁପ୍ତ। ମୋତେ ଅନେକ ଅମାତ୍ୟ ମିଳିବେ।” ଚାଣକ୍ୟ କ୍ରୁଦ୍ଧ ପଦପାତରେ କକ୍ଷ ତ୍ୟାଗ କଲେ।କକ୍ଷ ବାହାରେ ଏ ସବୁ ଲୁଚି ରହି ଶ୍ରବଣ କରୁଥିବା ବ୍ୟକ୍ତି ନୀରବରେ ଅପସରିଗଲା। ସେ ଭାବୁଥିଲା ଯେ ତାକୁ କେହି ଲକ୍ଷ୍ୟ କରିନାହାନ୍ତି। ରାକ୍ଷସଙ୍କ ଦ୍ଵାରା ନିଯୁକ୍ତ ସେହି ଗୁପ୍ତଚର ‘କରବକ’ ଚାଣକ୍ୟ ଏବଂ ଚନ୍ଦ୍ରଗୁପ୍ତଙ୍କ ମଧ୍ୟରେ ଏହି କଳହର ସମ୍ବାଦ ଅଚିରେ ଅମାତ୍ୟ ରାକ୍ଷସଙ୍କ ନିକଟରେ ପରିବେଷଣ କଲା।
ସେ ଏହି ସମ୍ବାଦ ପରିବେଷଣ କରୁଥିବା ସମୟରେ କୁମାର ମଳୟକେତୁ, ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ଅମାତ୍ୟ ରାକ୍ଷସଙ୍କୁ ଭେଟିବାକୁ ଆସୁଥାନ୍ତି। କରବକ କହୁଥାଏ, “ଚନ୍ଦ୍ରଗୁପ୍ତଙ୍କର ଆଉ ଚାଣକ୍ୟଙ୍କ ପ୍ରତି କୌଣସି ସମ୍ମାନ ଜ୍ଞାନ ନାହିଁ। ମୋ ଉପସ୍ଥିତିରେ ସେ ତାଙ୍କୁ ଆଚାର୍ଯ୍ୟ ନ କହି କେବଳ ବିଷ୍ଣୁଗୁପ୍ତ କହିଥିବାର ମୁଁ ଶୁଣିଛି। ଦୁଷ୍ଟ ଚାଣକ୍ୟ ମଧ୍ୟ କ୍ରୋଧରେ ଅମାତ୍ୟ ପଦ ତ୍ୟାଗ କରି ଚାଲିଯାଇଛି। ରାକ୍ଷସ ପଚାରିଲେ, “ସତ କହୁଛ କରବକ?” କରବକ କହିଲା, “ସେତିକି ନୁହେଁ, ଚନ୍ଦ୍ରଗୁପ୍ତ ଆପଣଙ୍କୁ ବହୁତ ପ୍ରଶଂସା କରୁଥିଲେ। ସେ କହୁଥିଲେ, ଅମାତ୍ୟ ହେବ ତ ରାକ୍ଷସଙ୍କ ପରି ରାଜଭକ୍ତ ହେବ।” କରବକ ଏହି ସବୁ ବୃତ୍ତାନ୍ତ କହୁଥିବା ସମୟରେ ମଳୟକେତୁ, ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ ରାକ୍ଷସଙ୍କ ନିକଟକୁ ଆସୁଥିଲେ।
ସେମାନେ ରାକ୍ଷସ ଏବଂ କରବଙ୍କ କଥାବାର୍ତ୍ତାର ଶେଷାଂଶ ଶୁଣି ପାରିଥିଲେ। ଚନ୍ଦ୍ରଗୁପ୍ତ ରାକ୍ଷସଙ୍କର ପ୍ରଶଂସା କରୁଛନ୍ତି ଜାଣି ମଳୟକେତୁ ସନ୍ଦେହ କଲେ ଯେ ଏହା ମଧ୍ୟରେ ଚନ୍ଦ୍ରଗୁପ୍ତ ଏବଂ ରାକ୍ଷସଙ୍କ ମଧ୍ୟରେ କିଛି ଗୋଟାଏ ମଧୁର ସମ୍ପର୍କ ଗଢି ଉଠିଛି।ନିଜ କକ୍ଷରେ ଚନ୍ଦ୍ରଗୁପ୍ତ ଶୋଣୋତ୍ତରାଙ୍କୁ ଗୁରୁଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ସମ୍ପର୍କରେ କହି ନିଜର ଅନୁଶୋଚନା ପ୍ରକାଶ କରୁଥିଲେ। ଶୋଣୋତ୍ତରା ପଚାରିଲେ, “ଆପଣ ଆଚାର୍ଯ୍ୟଙ୍କ ପ୍ରତି ଏତେ କଟୁ ବ୍ୟବହାର କରୁଥିଲେ କାହିଁକି?” ଚନ୍ଦ୍ରଗୁପ୍ତ କହିଲେ ମୋତେ ସେହିପରି ବ୍ୟବହାର କରିବା ପାଇଁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଥିଲେ। ଅମାତ୍ୟ ରାକ୍ଷସ ଆମ ଦୁହିଙ୍କ ମଧ୍ୟରେ ମନୋମାଳିନ୍ୟ ହେବାର ସମ୍ବାଦ ପାଇଲେ, ନିଃଶଙ୍କ ହୋଇ ନିଜର ପରବର୍ତ୍ତୀ ଯୋଜନା ପ୍ରକାଶ କରିଦେବେ! ତେଣୁ ଆମ ଗୁରୁ ଶିଷ୍ୟ ଦୁହିଁକୁ ଏପରି ଅଭିନୟ କରିବାକୁ ପଡିଲା।” ଶୋଣୋତ୍ତରା କହିଲେ, “ମୁଁ କିନ୍ତୁ ଏହାକୁ ପ୍ରକୃତ କଳହ ବୋଲି ଭାବି ବ୍ୟସ୍ତ ହୋଇ ପଡିଥିଲି।”
କ୍ରମଶଃ