ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ବୌଦ୍ଧ ଭିକ୍ଷୁ ଜୀବସିଦ୍ଧି ନନ୍ଦବଂଶ ପ୍ରତି ଅନୁରକ୍ତ ଥିଲେ। ସେ ଅମାତ୍ୟ ରାକ୍ଷସଙ୍କର ମଧ୍ୟ ପ୍ରିୟ ଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ ଥିଲା। ଏବେ ଚାଣକ୍ୟ ମଗଧର ଶାସନ ନିୟନ୍ତ୍ରଣ କରୁଥିଲେ। ତାଙ୍କୁ ପାଟଳୀପୁତ୍ରରେ ରହିବାକୁ ହେଲେ ଚାଣକ୍ୟଙ୍କ ସହ ସଦ୍ଭାବ ରଖିବା ଆବଶ୍ୟକ ଥିଲା। ତାଙ୍କର ଭୟ ଥିଲା ଯେ ଦିନେ ତାଙ୍କୁ ବିଷ୍ଣୁଗୁପ୍ତଙ୍କ ନିକଟରୁ ଡାକରା ଆସିବ। କିନ୍ତୁ ଦିନେ ରାତ୍ରିରେ ନିଜେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିକଟରେ ଉପସ୍ଥିତ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଜୀବସିଦ୍ଧି ଆଶୀର୍ବାଦ କଲେ, “ତଥାଗତ କଲ୍ୟାଣ କରନ୍ତୁ।” ଚାଣକ୍ୟ କହିଲେ, “ସାଧାରଣତଃ ସାଧୁ ସନ୍ଥମାନେ ରାଜନୀତିରେ ପ୍ରବେଶ କରନ୍ତି ନାହିଁ। କିନ୍ତୁ ଆପଣ ପୂର୍ବରୁ କେତେଗୁଡିଏ ରାଜକୀୟ ନିଷ୍ପତ୍ତିରେ ହସ୍ତକ୍ଷେପ କରିଥିବା ମୋ ଦୃଷ୍ଟିକୁ ଆସିଛି। ଆପଣ ନିର୍ଦ୍ଦିଷ୍ଟ କୌଣସି ରାଜବଂଶର ଅନୁଗତ ନ ହୋଇ ସାରା ମଗଧର ଏବଂ ସର୍ବୋପରି ଭାରତମାତାଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରି ମୁଁ ଆସିଛି। ଏଥିରେ ଆପଣଙ୍କର ଅତିପ୍ରିୟ ଅମାତ୍ୟ ରାକ୍ଷସଙ୍କର ସାମୟିକ କ୍ଷତି ହୋଇପାରେ। କିନ୍ତୁ ମୁଁ ଆପଣଙ୍କୁ ବଚନ ଦେଉଛି ଯେ , ତାଙ୍କର କିମ୍ବା ଅନ୍ୟ ସାଧୁ ଏବଂ ସଚ୍ଚୋଟ ରାଜକର୍ମଚାରୀଙ୍କର କୌଣସି ଦୀର୍ଘସ୍ଥାୟୀ କ୍ଷତି ହେବନାହିଁ। ଆପଣଙ୍କୁ ମୁଁ କିଛି ଲୁଚାଇବି ନାହିଁ। ସେନାପତି ବଳଗୁପ୍ତ, ଗୁପ୍ତଚର ମୁଖ୍ୟ ଭାଗୁରାୟଣ, ପ୍ରବୀଣ କଳାକାର ସୁସିଦ୍ଧାର୍ଥକ ଏବଂ ଅନ୍ୟ ଅନେକ ଗୁପ୍ତଚର ଏବେ ମୋ ନିର୍ଦ୍ଦେଶରେ କାର୍ଯ୍ୟରତ ଅଛନ୍ତି। ମୋତେ ଆପଣଙ୍କୁ ଗୋଟିଏ ସାହାଯ୍ୟ କରିବାକୁ ପଡିବ। ସମୟ ଆସିଲେ, ମୁଁ ଆପଣଙ୍କ ନିକଟକୁ ମୋର ନିବେଦନ ପ୍ରେରଣ କରିବି।” ଜୀବସିଦ୍ଧି କହିଲେ,” ଯାହା ତଥାଗତଙ୍କର ଇଚ୍ଛା!”
ପାଟଳୀପୁତ୍ର ବାହାରେ ରାକ୍ଷସଙ୍କ ନିକଟରେ ଆଶ୍ରୟ ନେଇଥିଲେ ଶକଟ ଦାସ ଏବଂ ସିଦ୍ଧାର୍ଥକ। ପୌରବରାଜଙ୍କ ପୁତ୍ର ମଳୟକେତୁଙ୍କ ଶିବିରରେ ଥିଲେ ଭାଗୁରାୟଣ ଏବଂ ସୁସିଦ୍ଧାର୍ଥକ। ମଳୟକେତୁଙ୍କ ଶିବିରର କିଛି କିଛି ଦୂରରେ କାଶ୍ମୀରରାଜ, ମାଳବରାଜ, କୁଳୁତରାଜ ଏବଂ ସିନ୍ଧୁସେନଙ୍କ ଶିବିର ଥିଲା। ଏହି ମିତ୍ରଶକ୍ତିଙ୍କ ମଧ୍ୟରେ ମୁଖ୍ୟ ଥିଲେ ମଳୟକେତୁ। ସମସ୍ତ ଶିବିର ପାଇଁ ଗୋଟିଏ ପ୍ରବେଶ ଏବଂ ନିର୍ଗମନ ଦ୍ଵାର ଥିଲା। ଶିବିର ଅଞ୍ଚଳରୁ ବାହାରକୁ ଯିବା ପାଇଁ ମଳୟକେତୁଙ୍କ ମୋହର ଲଗା ଅନୁମତି ପତ୍ର ଦେବା ଦାୟିତ୍ଵ ଭାଗୁରାୟଣଙ୍କ ଉପରେ ନ୍ୟସ୍ତ ଥିଲା। ଦିନେ ସିଦ୍ଧାର୍ଥକ ବିନା ଅନୁମତି ପତ୍ରରେ ଶିବିର ବାହାରକୁ ଯିବାକୁ ଚେଷ୍ଟା କରୁଥିଲା। ତାକୁ ଧରି ଭାଗୁରାୟଣ ମଳୟକେତୁଙ୍କ ନିକଟରେ ଉପସ୍ଥିତ କରାଇଲେ। ବ୍ୟକ୍ତିର ଆଚରଣ ସନ୍ଦେହାସ୍ପଦ ଥିଲା। ସେ କିଛି ଲୁଚାଇବାକୁ ଚେଷ୍ଟା କରୁଥିଲା। ତାକୁ ଧମକ ଦେବାରୁ ସେ ନିଜର ନାମ ସିଦ୍ଧାର୍ଥକ ବୋଲି କହିଲା ଏବଂ ଲୁଚାଇଥିବା ପତ୍ରଟି କାଢି ଭାଗୁରାୟଣଙ୍କୁ ବଢାଇଦେଲା। ମଳୟକେତୁ ତାହା ପଢିବା ପାଇଁ ଆଦେଶ ଦେଲେ। ପତ୍ରରେ ଅମାତ୍ୟ ରାକ୍ଷସଙ୍କ ମୁଦ୍ରିକାର ଚିହ୍ନ ଅଙ୍କିତ ଥିଲା। କାହାରିକୁ କିଛି ସମ୍ବୋଧନ ନ ଥିଲା। ଲେଖା ଥିଲା, “ଆପଣ ମୋର ଶତୃକୁ ପଦଚ୍ୟୁତ କରି ନିଜର ବଚନ ପାଳନ କରିଥିବାରୁ ଧନ୍ୟବାଦ। ଏଠାରେ ଥିବା ଅନ୍ୟ କ୍ଷୁଦ୍ରରାଜ୍ୟର ରାଜାମାନଙ୍କୁ ମଧ୍ୟ ସେମାନଙ୍କୁ ଧନ ଏବଂ ହାତୀ ଆଦି ଦେବାପାଇଁ ଯେଉଁ ବଚନ ଦେଇଥିଲେ ତାହା ମଧ୍ୟ ପୂର୍ଣ୍ଣ କରିବେ। ଏଠାରେ ଥିବା ଆପଣଙ୍କ ଶତ୍ରୁ ଅର୍ଦ୍ଧରାଜ୍ୟ ଦାବୀ କରୁଛନ୍ତି। ଆପଣ ଅନ୍ୟମାନଙ୍କ ଦାବୀ ପୂରଣ କଳାପରେ ଆପଣଙ୍କ ଶତ୍ରୁ ବିରୁଦ୍ଧରେ ପଦକ୍ଷେପ ନେବା ଉଚିତ ହେବ। ଅନ୍ୟ ସମସ୍ତ ସମ୍ବାଦ ମୋର ପତ୍ରବାହକ ମୌଖିକ ଭାବରେ ପ୍ରକାଶ କରିବ।” ‘ଏ ପତ୍ର କିଏ ପଠାଇଛି’ ବୋଲି ସିଦ୍ଧାର୍ଥକକୁ ଅନେକ ଯନ୍ତ୍ରଣା ଦେଇ ପ୍ରଶ୍ନ କରାଗଲା। ସେ ବହୁ ସମୟ ପରେ ଅତ୍ୟନ୍ତ କୁଣ୍ଠିତ ଭାବରେ ସ୍ଵୀକାର କଲା ଯେ ତାକୁ ଅମାତ୍ୟ ରାକ୍ଷସ ପଠାଇଛନ୍ତି। ତାକୁ ମଳୟକେତୁ କହିଲେ,”ମୌଖିକ ସମ୍ବାଦଟି ମଧ୍ୟ ପ୍ରକାଶ କରିଦିଅ।” ସିଦ୍ଧାର୍ଥକ କହିଲା, “ରାକ୍ଷସଙ୍କ ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କ ସହ ଅନ୍ୟ ଚାରିଜଣ ରାଜାଙ୍କ ସହ ସନ୍ଧି ହୋଇଯାଇଛି। ତେଣୁ ସେମାନଙ୍କ ଦାବୀ ପୂରଣ କରିଦେବା ପାଇଁ ସେ ଅନୁରୋଧ ପଠାଇଛନ୍ତି।” କହିବା ବାହୁଲ୍ୟ, ଚାଣକ୍ୟଙ୍କ ନିର୍ଦ୍ଦେଶନାରେ ସିଦ୍ଧାର୍ଥକ ନିଜର ଅଭିନୟ ନିପୁଣ ଭାବରେ ସମ୍ପନ୍ନ କରିଥିଲା।
ଅମାତ୍ୟ ରାକ୍ଷସ ବିଚଳିତ ଥିଲେ। ପାଟଳୀପୁତ୍ରର ରଥାଧ୍ୟକ୍ଷ, ଅଶ୍ଵାଧ୍ୟକ୍ଷ, ସହ ସେନାଧ୍ୟକ୍ଷ ବଳଗୁପ୍ତ ସମସ୍ତେ ପାଟଳୀପୁତ୍ରରୁ ପଳାୟନ କରୁଥିବା ସମ୍ବାଦର ଦୁଇଟି ଅର୍ଥ ଥିଲା। ହୁଏତ ସେମାନେ କୌଟିଲ୍ୟର ଅତ୍ୟାଚାରରେ ଭୟଭୀତ ହୋଇ ପଳାୟନ କରୁଛନ୍ତି ବା ଏହା ମଧ୍ୟରେ କିଛି ନା କିଛି ଚକ୍ରାନ୍ତ ଅଛି। ସେ ବିଳମ୍ବ ନ କରି ପାଟଳୀପୁତ୍ର ଉପରେ ଆକ୍ରମଣ କରିବା ଉଚିତ ହେବ ବୋଲି ସ୍ଥିର କରି ମଳୟକେତୁଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ହେଲେ।
ଏହା ମଧ୍ୟରେ ଜୀବସିଦ୍ଧି ତାଙ୍କର ଭୂମିକା ନିର୍ବାହ କରିବା ପାଇଁ ମଳୟକେତୁଙ୍କ ଶିବିର ଦ୍ଵାରରେ ଉପସ୍ଥିତ ହେଲେ। ସେ ଭାଗୁରାୟଣଙ୍କ ପ୍ରକୋଷ୍ଠକୁ ଯାଇ ବାହାରକୁ ଯିବା ପାଇଁ ଅନୁମତିପତ୍ର ମାଗିଲେ। ଭାଗୁରାୟଣ ପଚାରିଲେ, “ଆପଣ କଣ ଅମାତ୍ୟ ରାକ୍ଷସଙ୍କ ନିକଟକୁ ଯିବେ?” ଜୀବସିଦ୍ଧି କହିଲେ, “ନା, ଏଠାରେ ରହି ମୋତେ ଧର୍ମ ବିରୁଦ୍ଧରେ ଅନେକ କର୍ମ କରିବାକୁ ହେଉଛି। କୌଣସି ରାକ୍ଷସ କିମ୍ବା ପିଶାଚଙ୍କ ସହ ରହିବାରେ ମୋର କୌଣସି ଆଗ୍ରହ ନାହିଁ। ମୋତେ ବୈଶାଳୀ ଯାଇ ଶାନ୍ତିରେ ରହିବା ପାଇଁ ବ୍ୟବସ୍ଥା କରି ଦିଅନ୍ତୁ।” ଭାଗୁରାୟଣଙ୍କ ପ୍ରକୋଷ୍ଠକୁ ଲାଗି ମଳୟକେତୁଙ୍କ ପ୍ରକୋଷ୍ଠ ଥିଲା। ଭାଗୁରାୟଣ ଏବଂ ଜୀବସିଦ୍ଧି ଅପେକ୍ଷାକୃତ ଉଚ୍ଚ ସ୍ଵରରେ କଥାବାର୍ତ୍ତା ହେଉଥିଲେ। ଭାଗୁରାୟଣ ପଚାରିଲେ, “ରାକ୍ଷସ କେବେଠାରୁ ଆପଣଙ୍କର ଏତେ ଅପ୍ରିୟ ହେଲେ? ସେ ଆପଣଙ୍କର କି କ୍ଷତି କରିଛନ୍ତି?” ଜୀବସିଦ୍ଧି କହିଲେ, “ସେ ମୋର କିଛି କ୍ଷତି କରିନାହାନ୍ତି। ତାଙ୍କ ପାଇଁ ମୋ ଦ୍ଵାରା କିଛି ପାପ ହୋଇଯାଇଛି।
ମୋତେ କାହାରି ବିରୁଦ୍ଧରେ କିଛି କହିବାକୁ ବାଧ୍ୟ କରନ୍ତୁ ନାହିଁ।” ଭାଗୁରାୟଣ କହିଲେ, “ବାର୍ତ୍ତା ଯଦି ଗୋପନୀୟ, ତା ହେଲେ ନ କୁହନ୍ତୁ।” ଜୀବସିଦ୍ଧି କହିଲେ, “କେବଳ ଗୋପନୀୟ ନୁହେଁ, ଏହି ସମ୍ବାଦ ଏକ ଅପ୍ରକାଶ୍ୟ କଟୁ ସତ୍ୟ।” ଉଭୟ ଲକ୍ଷ୍ୟ କଲେ ଯେ, ମଳୟକେତୁ ଅପର ପାର୍ଶ୍ଵରେ କର୍ଣ୍ଣ ଡେରିଛନ୍ତି। ଭାଗୁରାୟଣ କହିଲେ, “ଆପଣଙ୍କ କଥାରୁ ଜଣା ପଡୁଛି ଯେ, ଆପଣ ରାକ୍ଷସଙ୍କ ସମ୍ପର୍କରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିଛନ୍ତି। ତାହା ପ୍ରକାଶ ନ କଲେ, “ମୁଁ ଆପଣଙ୍କୁ ବାହାରକୁ ଯିବାକୁ ଦେବି ନାହିଁ।” ଜୀବସିଦ୍ଧି କହିଲେ, “ଅମାତ୍ୟ ରାକ୍ଷସ ଏକ ଦୁଷ୍ଟ ପ୍ରକୃତିର ବ୍ୟକ୍ତି। ସେ ମୋରି ହସ୍ତରେ ଗୋଟିଏ ବିଷକନ୍ୟାକୁ ଡକାଇ ପୌରବରାଜଙ୍କୁ ହତ୍ୟା କରାଇଥିଲା।” ଭାଗୁରାୟଣ ପୁନରାବୃତ୍ତି କଲେ, “କଣ କହିଲେ, ଅମାତ୍ୟ ରାକ୍ଷସ ପୌରବରାଜଙ୍କୁ ହତ୍ୟା କରିଥିଲେ। କୁଟିଳ କୌଟିଲ୍ୟ ନୁହେଁ?” ଜୀବସିଦ୍ଧି କହିଲେ, ନା, ଅମାତ୍ୟ ରାକ୍ଷସ ସେହି ବିଷକନ୍ୟାକୁ ପୌରବରାଜ ରାଜପ୍ରାସାଦରେ ଥିବାବେଳେ ତାଙ୍କ ନିକଟକୁ ପଠାଇଥିଲେ।” କାନ୍ଥ ଆର ପଟରେ ମଳୟକେତୁ ଏବଂ ସୁସିଦ୍ଧାର୍ଥକ ଏ ସମସ୍ତ ବାର୍ତ୍ତାଳାପ ଧୈର୍ଯ୍ୟ ଧରି ଶ୍ରବଣ କରୁଥିଲେ।
କ୍ରମଶଃ