ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ମଳୟକେତୁ କ୍ରୋଧ ସମ୍ବରଣ କରିବା ଅବସ୍ଥାରେ ନ ଥିଲେ। ସେ ଅମାତ୍ୟ ରାକ୍ଷସଙ୍କୁ ସୁସିଦ୍ଧାର୍ଥକ ଦ୍ଵାରା ଡକାଇ ପଠାଇଲେ। ରାକ୍ଷସ ନିଜେ ମଧ୍ୟ ମଳୟକେତୁଙ୍କ ନିକଟକୁ ଆସିବାପାଇଁ ପ୍ରସ୍ତୁତ ହେଉଥିଲେ। ଆମେ ଆଗରୁ ଜାଣିଛୁ ଯେ, ଚାଣକ୍ୟ ପୌରବରାଜଙ୍କ ଅଳଙ୍କାର ବ୍ରାହ୍ମଣମାନଙ୍କଠାରୁ ସଂଗ୍ରହ କରି ରଖିଥିଲେ। ତାହା ସେ ସୁସିଦ୍ଧାର୍ଥକକୁ ଆବଶ୍ୟକ ସ୍ଥଳେ ଅସ୍ତ୍ର ରୂପେ ପ୍ରୟୋଗ କରିବାକୁ ଦେଇଥିଲେ। ସୁସିଦ୍ଧାର୍ଥକ ନିକଟରେ ସେ ଅଳଙ୍କାର ଥିଲା। ରାକ୍ଷସ ତାଙ୍କ ଶରୀରରେ ଥିବା ଅଳଙ୍କାରକୁ ଶକଟଦାସର ଜୀବନ ରକ୍ଷା କରିଥିବା ହେତୁ ସିଦ୍ଧାର୍ଥକକୁ ଦେଇ ଦେଇଥିଲେ। ତାଙ୍କ ଶରୀରରେ କୌଣସି ଅଳଙ୍କାର ନ ଥିଲା। ସୁସିଦ୍ଧାର୍ଥକ କହିଲା, “ଆପଣ ବିନା ଅଲଙ୍କାରରେ ମଳୟକେତୁଙ୍କ ନିକଟକୁ ଯିବା ଶୋଭନୀୟ ହେଉନାହିଁ। କିଛି ଅଳଙ୍କାର ନିଶ୍ଚୟ ଧାରଣ କରନ୍ତୁ। ଏହା କହି ସେ ନିଜ ନିକଟରେ ଥିବା ପୌରବରାଜଙ୍କ ଅଳଙ୍କାରରୁ କେତୋଟି ତାଙ୍କୁ ଅତି ଆଦରରେ ପିନ୍ଧାଇ ଦେଲା। ତା ପରେ ରାକ୍ଷସ ସୁସିଦ୍ଧାର୍ଥକ ସହ ମଳୟକେତୁଙ୍କ ନିକଟରେ ଉପସ୍ଥିତ ହେଲେ। କହିଲେ, “କୁମାର ମଳୟକେତୁ, ଆପଣଙ୍କ ସାଥୀ ରାଜାମାନଙ୍କୁ ପ୍ରସ୍ତୁତ ହେବାକୁ ସମ୍ବାଦ ପ୍ରେରଣ କରନ୍ତୁ।”ମଳୟକେତୁ କହିଲେ, “ଆପଣ କଣ ସେମାନଙ୍କୁ ମୋତେ ଆକ୍ରମଣ କରିବା ପାଇଁ ଆଗରୁ ସମ୍ବାଦ ଦେଇ ଦେଇଛନ୍ତି?”
ରାକ୍ଷସ ଆଶ୍ଚର୍ଯ୍ୟ ହେଲେ। “ଏ କଣ କହୁଛନ୍ତି କୁମାର?” ମଳୟକେତୁ ପଚାରିଲେ, “ଆପଣ କାହା ପାଖକୁ ଚିଠି ଲେଖି ସିଦ୍ଧାର୍ଥକ ହସ୍ତରେ ପଠାଇଥିଲେ? ଚିଠି ଉପରେ ଆପଣଙ୍କ ମୁଦ୍ରିକାର ସନ୍ତକ ଅଛି। ଆପଣ ମୋ ବିରୁଦ୍ଧରେ ସମସ୍ତ ଷଡଯନ୍ତ୍ର କରି ରଖିଛନ୍ତି ନା?” ରାକ୍ଷସ କହିଲେ, “ଏ ସବୁ ମିଥ୍ୟା। ଏ ସବୁ ଷଡଯନ୍ତ୍ର।” ଏତିକିବେଳେ ସୁସିଦ୍ଧାର୍ଥକ ଚିତ୍କାର କଲା, “ଆପଣଙ୍କ ଗଳାରେ ମୋ ପ୍ରଭୁ ପୌରବରାଜଙ୍କ ଅଳଙ୍କାର କେଉଁଠୁ ଆସି ଲା?” ମଳୟକେତୁ କହିଲେ,”ସତେ ତ! ମୋ ପତାଙ୍କର ଏ ସବୁ ଗହଣା ଚନ୍ଦ୍ରଗୁପ୍ତଙ୍କ ଭଣ୍ଡାରରେ ଥିଲା। ଆପଣ କେଉଁଠୁ ପାଇଲେ? ଏହା ଚନ୍ଦ୍ରଗୁପ୍ତ ଆପଣଙ୍କୁ ଉପହାର ରୂପେ ଦେଇଛନ୍ତି ବୋଧ ହୁଏ?ଆପଣ ମୋ ପିତା ପୌରବରାଜଙ୍କୁ ହତ୍ୟା କରାଇଛନ୍ତି ନା?” ରାକ୍ଷସ ଚିତ୍କାର କଲେ, “ନା। ନା, ନା! ମୁଁ ନୁହେଁ, ତାଙ୍କୁ ବିଷ୍ଣୁଗୁପ୍ତ ହତ୍ୟା କରିଛନ୍ତି।” ମଳୟକେତୁ କହିଲେ, “ଜୀବସିଦ୍ଧିଙ୍କ ଭଳି ସନ୍ଥ କଣ କେବେ ମିଥ୍ୟା କହିପାରନ୍ତି?” ରାକ୍ଷସଙ୍କ ମୁଖ ବିସ୍ମୟରେ ବିସ୍ଫାରିତ ହୋଇଗଲା। ଚକ୍ରାନ୍ତର ଜାଲ ଏତେ ସୁଦୃଢ ଥିଲା ଯେ, ସେଥିରୁ ମୁକୁଳିବା ତାଙ୍କ ପାଇଁ ଅସମ୍ଭବ ଥିଲା। ତାଙ୍କର ନିଜର ଭଳି ପ୍ରତୀୟମାନ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଅକୁଣ୍ଠ ଚିତ୍ତରେ ସାକ୍ଷୀ ଦେଉଥିଲେ। ଅତ୍ୟନ୍ତ ଅସହାୟ ଏବଂ ଅବସନ୍ନ ଅନୁଭବ କରୁଥିଲେ ସେ।
ମଳୟକେତୁ ଗର୍ଜନ କରି କହିଲେ, “ଅମାତ୍ୟ ପ୍ରବର! ନନ୍ଦଦୁହିତାଙ୍କର ସ୍ଵାମୀ ହେବାକୁ ଯାଉଥିବାରୁ ସମ୍ଭବତଃ ଆପଣଙ୍କର ଚନ୍ଦ୍ରଗୁପ୍ତ ପ୍ରତି ଶ୍ରଦ୍ଧା ଏତେ ଅଧିକ ହୋଇଯାଇଛି। ଅଥବା ଭବିଷ୍ୟତରେ ଚାଣକ୍ୟଙ୍କ ସ୍ଥାନରେ ଅମାତ୍ୟ ପଦ ଲାଭ କରିବାର ଲୋଭରେ ଗ୍ରସ୍ତ ହୋଇ ଆପଣ ଏଭଳି ବିଶ୍ଵାସଘାତକତା କରିଛନ୍ତି। ଯାଆନ୍ତୁ ! ବାହାରି ଯାଆନ୍ତୁ ମୋ କକ୍ଷରୁ, ମୋ ଶିବିରରୁ, ମୋ ଜୀବନରୁ। ମୋତେ ଆଉ ଆପଣଙ୍କର ନିର୍ଲଜ୍ଜ ମୁଖ ଦେଖାନ୍ତୁ ନାହିଁ।” ସୁସିଦ୍ଧାର୍ଥକ! ମୋର ସେନାପତି ଶିଖର ସିଂହକୁ କୁହ ସେ କିଛି ସୈନ୍ୟଙ୍କୁ ନେଇ ମୋ ସହ ଆସିଥିବା ମାଳବ, କାଶ୍ମୀର, ସିନ୍ଧୁ ଏବଂ କୁଳୁତ’ର ରାଜାମାନଙ୍କୁ ହତ୍ୟା କରିଦେବେ।” “ଯଥା ଆଜ୍ଞା ମହାରାଜ” କହି ସୁସିଦ୍ଧାର୍ଥକ ସେନାପତିଙ୍କ ଶିବିର ଅଭିମୁଖେ ପ୍ରସ୍ଥାନ କଲା। କିନ୍ତୁ ଶିଖର ସିଂହ ନିକଟକୁ ଯିବା ପୂର୍ବରୁ ସେ ଅନ୍ୟ ରାଜାମାନଙ୍କ ନିକଟରେ ସମ୍ବାଦ ଦେଇଗଲା ଯେ, ଶିଖର ସିଂହ ସୈନ୍ୟ ସାମନ୍ତ ନେଇ ତାଙ୍କୁ ହତ୍ୟା କରିବାକୁ ଆସୁଛି। ସେମାନେ ଭୟରେ ଶିବିର ତ୍ୟାଗ କରି ପଳାୟନ କଲେ।
ଅମାତ୍ୟ ରାକ୍ଷସ ଶୋକସନ୍ତପ୍ତ ପ୍ରାଣରେ ଗୋଟିଏ ଅରଣ୍ୟ ମଧ୍ୟରେ ଯାତ୍ରା କରୁଥାନ୍ତି। ତାଙ୍କ ଜୀବନରେ ସେ କେବେ ହେଲେ ଏତେ ଲାଞ୍ଛନା ଭୋଗ କରି ନ ଥିଲେ। ସେ କୌଟିଲ୍ୟଙ୍କ କୂଟନୀତିକୁ ପ୍ରଶଂସା କରିବେ କି ଘୃଣା କରିବେ ବୁଝିପାରୁ ନ ଥାଆନ୍ତି। ଆତ୍ମହତ୍ୟା କରିବାକୁ ସ୍ଥିର କରି ସେ ଗୋଟିଏ ବୃକ୍ଷ ଉପରକୁ ଚଢୁଥିବା ସମୟରେ ଦେଖିଲେ,”ଦୂରରୁ ଜଣେ ଚିତ୍କାର କରି କରି ତାଙ୍କ ଆଡକୁ ଦ୍ରୁତ ପଦରେ ଆସୁଛି। ସେ ଲୋକଟି ତାଙ୍କର ଚିହ୍ନା ଚିହ୍ନା ଲାଗିଲା। ସେ ଅପେକ୍ଷା କଲେ। ସେହି ବ୍ୟକ୍ତି ଶ୍ରେଷ୍ଠୀ ଚନ୍ଦନ ଦାସଙ୍କର ଭ୍ରାତା ଥିଲା। ସେ ଚିତ୍କାର କରୁଥାଏ ଅମାତ୍ୟ ରାକ୍ଷସ। ଆପଣଙ୍କ ବନ୍ଧୁ ଚନ୍ଦନ ଦାସଙ୍କୁ ବଞ୍ଚାନ୍ତୁ। ଦୁଷ୍ଟ ଚାଣକ୍ୟ ତାଙ୍କୁ ହତ୍ୟା କରିବା ପାଇଁ ବଧ ଭୂମିକୁ ନେଇଗଲାଣି। ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ଯାଇ ସେ ନିଜର ପ୍ରାଣବଳି ଦେଉଛନ୍ତି। ଯଦି ପାରୁଛନ୍ତି, ତାଙ୍କ ଜୀବନ ରକ୍ଷା କରନ୍ତୁ।”
କ୍ରମଶଃ