Coin Monster: Episode 41

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଅମାତ୍ୟ ରାକ୍ଷସ ପଚାରିଲେ, “ଚନ୍ଦନ ଦାସ ବଞ୍ଚିଛନ୍ତି ନା?” ସେହି ଆଗନ୍ତୁକ କହିଲା, “ଏବେ ସୁଦ୍ଧା ସେ ଜୀବିତ ଥିବେ। ଆଜି ସୂର୍ଯ୍ୟାସ୍ତ ସୁଦ୍ଧା ଅମାତ୍ୟ ରାକ୍ଷସଙ୍କ ପରିବାରକୁ ସମର୍ପଣ ନ କଲେ ତାଙ୍କର ମୃତ୍ୟୁ ସୁନିଶ୍ଚିତ।” ରାକ୍ଷସ ସେହି ବ୍ୟକ୍ତି ସହ ବଧ ଭୂମି ଆଡକୁ ଧାବିତ ହେଲେ।

ସୁସିଦ୍ଧାର୍ଥକର ଚଞ୍ଚକତାରେ ଭୁଲି ମଳୟକେତୁଙ୍କର ମିତ୍ରରାଜାମାନେ ପ୍ରାଣଭୟରେ ପଳାୟନ କଲେ। ପଥ ମଧ୍ୟରେ ସେନାଧ୍ୟକ୍ଷ ବଳଗୁପ୍ତ ସେମାନଙ୍କୁ ବନ୍ଦୀ କଲେ। ତତ୍ପରେ ସୁସିଦ୍ଧାର୍ଥକ ଏବଂ ସେନାପତି ବଳଗୁପ୍ତ କେତେଜଣ ସୈନ୍ୟଙ୍କ ସହ ମିଶି ମଳୟକେତୁଙ୍କ ପ୍ରକୋଷ୍ଠରେ ପ୍ରବେଶ କଲେ। ସେମାନେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଥିଲେ। ଜଣେ ସୈନ୍ୟ ହସ୍ତରେ ଶୃଙ୍ଖଳ ଶୋଭା ପାଉଥିଲା। ମଳୟକେତୁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ, “ଏ କଣ ସୁସିଦ୍ଧାର୍ଥକ? ମୋ ସହ ବିଶ୍ଵାସଘାତକତା? ଇଏ କି ଲୀଳା?” ଭାଗୁରାୟଣ କହିଲେ, “ଇଏ ବିଷ୍ଣୁଲୀଳା କୁମାର!” ମଳୟକେତୁ କହିଲେ,” ଭମୋ ବନ୍ଧୁର ଦଣ୍ଡକୁ ନିଜେ ଗ୍ରହଣ କଲି’ ବୋଲି ତାଙ୍କୁ ଜଣାଇ ଦେବି।” ଏହି ସମୟରେ ଦୂରରୁ ରଥ ଆସୁଥିବାର ଶବ୍ଦ ଶୁଭିଲା। ମୁଖ୍ୟ ଘାତକ କହିଲେ, “ଆପଣ କୁଆଡେ ଯିବା ଆବଶ୍ୟକ ନାହିଁ। ପ୍ରଧାନ ଅମାତ୍ୟ ନିଜେ ଏଠାକୁ ଆସୁଛନ୍ତି। ଅପକ୍ଷା କରନ୍ତୁ। ଯଦି ତାଙ୍କର ଦୟା ହୁଏ, ସେ ଆପଣଙ୍କ କାମନା ପୂର୍ଣ୍ଣ କରି ପାରନ୍ତି।”

ଚାଣକ୍ୟ ଆସୁଥିଲେ। ତାଙ୍କ ସାଙ୍ଗରେ ଥିଲେ ଶିଷ୍ୟ ଶାର୍ଙ୍ଗରବ। ସେ ରାକ୍ଷସଙ୍କ ଆଡକୁ ଦୃଷ୍ଟି ନ ଦେଇ କହିଲେ, “ଏ ପର୍ଯ୍ୟନ୍ତ ତୁମ୍ଭେମାନେ ଚନ୍ଦନ ଦାସ ଭଳି ଜଣେ ରାଜଦ୍ରୋହୀକୁ ମୃତ୍ୟୁ ଦେଇନାହଁ କାହିଁକି? ତୁମ୍ଭମାନଙ୍କୁ କଣ ରାଜାଜ୍ଞା ଅବମାନନାର ଦଣ୍ଡ ଜଣା ନାହିଁ?” ରାକ୍ଷସ ବିଷ୍ଣୁଗୁପ୍ତଙ୍କ ନିକଟକୁ ଗଲେ। ଯୋଡ଼ ହସ୍ତରେ ବିନତି କଲେ “କହିଲେ, ଆପଣ ଯାହାର ପରିବାର ପାଇଁ ତାଙ୍କୁ ଦଣ୍ଡିତ କରୁଛନ୍ତି, ମୁଁ ସେହି ରାକ୍ଷସ। ଆପଣ ତାଙ୍କୁ ଛାଡିଦିଅନ୍ତୁ। ତାଙ୍କର ପ୍ରାପ୍ୟ ଦଣ୍ଡ ମୁଁ ଭୋଗିବାକୁ ପ୍ରସ୍ତୁତ ଅଛି।” ଚାଣକ୍ୟ କହିଲେ, “ବନ୍ଧୁର ପ୍ରାଣରକ୍ଷା ପାଇଁ ଆପଣଙ୍କୁ ଯେଉଁ ଦଣ୍ଡ ଦିଆଯିବ, ଆପଣ ଗ୍ରହଣ କରିବାକୁ ପ୍ରସ୍ତୁତ?” ରାକ୍ଷସ କହିଲେ, “ନିଶ୍ଚୟ!” ଚାଣକ୍ୟ କହିଲେ, “ମହାତ୍ମା କାତ୍ୟାୟନ, ମୁଁ ଆପଣଙ୍କୁ ମଗଧର ପ୍ରଧାନ ଅମାତ୍ୟ ପଦର ଦାୟିତ୍ୱ ପ୍ରଦାନ କରୁଛି। ଗ୍ରହଣ କରନ୍ତୁ।”

ଇତ୍ୟବସରରେ ଚନ୍ଦ୍ରଗୁପ୍ତ ସଦଳବଳେ ସେଠାରେ ଉପସ୍ଥିତ ହୋଇଯାଇଥିଲେ। କାତ୍ୟାୟନ ପ୍ରଶ୍ନ କଲେ, “ତା ହେଲେ ଏ ସବୁ କଣ ଥିଲା?” ବିଷ୍ଣୁଗୁପ୍ତ କହିଲେ, “ଆପଣଙ୍କ ଭଳି ଜଣେ ନିଷ୍ଠାପର, ନିଃସ୍ଵାର୍ଥପର ରାଜଭକ୍ତଙ୍କୁ ଚନ୍ଦ୍ରଗୁପ୍ତଙ୍କ ପ୍ରଧାନ ଅମାତ୍ୟ ରୂପେ ନିଯୁକ୍ତ କରିବା ପାଇଁ ଏ ସମସ୍ତ କେବଳ କପଟ ଥିଲା।” ବଳଗୁପ୍ତ, ଭାଗୁରାୟଣ, ସୁସିଦ୍ଧାର୍ଥକ ଏବଂ ସିଦ୍ଧାର୍ଥକ ଆଦି ଜଣ ଜଣ କରି ଅମାତ୍ୟ ରାକ୍ଷସଙ୍କୁ କ୍ଷମା ମାଗିଲେ। ଏହି ପ୍ରସ୍ତାବ ସହୃଦୟତାର ସହ ସ୍ଵୀକାର କରିବାକୁ ଅନୁରୋଧ କଲେ। ଶେଷକୁ ଆସିଲେ ଜୀବସିଦ୍ଧି। କହିଲେ, “ଏଇଥିରେ ମଗଧର ମଙ୍ଗଳ, ଅମାତ୍ୟ! ନ ହେଲେ ମୁଁ ଏଭଳି ପାପ କରି ନ ଥାନ୍ତି।” ରାକ୍ଷସଙ୍କ ମୁଖରୁ ଦୁର୍ଭାବନାର କଳାଛାଇ ଉଭେଇ ଯାଇଥିଲା। ମୁଖରେ ପ୍ରସନ୍ନତା ବିରାଜୁଥିଲା। ସମ୍ରାଟ ଚନ୍ଦ୍ରଗୁପ୍ତ ତାଙ୍କ ସମ୍ମୁଖକୁ ଗଲେ। ଜାନୁପାତି ପ୍ରଣାମ କଲେ। ରାକ୍ଷସ ତାଙ୍କୁ ଉଠାଇ ଧରିଲେ। କହିଲେ, “ଏ କଣ କରୁଛନ୍ତି ସମ୍ରାଟ?” ମୁଁ ମଗଧର ପ୍ରଧାନ ଅମାତ୍ୟ କାତ୍ୟାୟନ ଆପଣଙ୍କୁ ପ୍ରଣାମ କରୁଛି।” ଚନ୍ଦନ ଦାସଙ୍କୁ ସସମ୍ମାନେ ମୁକ୍ତି ଦିଆଗଲା। ମଳୟକେତୁ ତଥା ଅନ୍ୟ ମିତ୍ର ରାଜାମାନେ ମଗଧର ଅଧୀନତା ସ୍ଵୀକାର କଲେ। ସେମାନଙ୍କୁ ମୁକ୍ତି ଦେଇ ଚନ୍ଦ୍ରଗୁପ୍ତଙ୍କର ଦୁର୍ଧରାଙ୍କ ସହ ବିବାହ ଏବଂ ଆନୁଷ୍ଠାନିକ ରାଜ୍ୟାଭିଷେକରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଗଲା।

[ଚାଣକ୍ୟ ସଂଗ୍ରହ କରିଥିବା ରାକ୍ଷସଙ୍କ ମୁଦ୍ରିକାର ଏହି ପ୍ରସଙ୍ଗରେ ପ୍ରଚ୍ଛନ୍ନ ଭୂମିକା ଥିବାରୁ ଏହି ନାଟକକୁ ‘ମୁଦ୍ରା ରାକ୍ଷସ’ ନାମରେ ନାମିତ କରାଯାଇଛି]

ସମାପ୍ତ

Please follow and like us:
0
20
Pin Share20