Coin Monster: Episode 8

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

        ଆମ୍ରପାଲିଙ୍କ ମୁଖରେ ଲଜ୍ଜାର ଲାଲିମା ନ ଥିଲା। ଚକ୍ଷୁରେ ନିବେଦନର ନମ୍ରତା ନ ଥିଲା। ପ୍ରତିବାଦର ଉଗ୍ରତାରେ କଣ୍ଠ ସ୍ଵର କିଛି ରୁକ୍ଷ ଶୁଭୁଥିଲା। ସେ କହିବାରେ ଲାଗିଥିଲେ, "ବୈଶାଳୀ ଗଣରାଜ୍ୟର ଗଣାଧିପତି ମହୋଦୟ, ଉପସ୍ଥିତ ସମ୍ଭ୍ରାନ୍ତ ରାଜପୁରୁଷଗଣ ଏବଂ ସମ୍ମାନାସ୍ପଦ ବିଚାରପତି ମହାଶୟ, "ମୁଁ ଅମ୍ବାରାର ନୃତ୍ୟାଙ୍ଗନା ଆମ୍ରପାଲି କହୁଛି। ମୁଁ ନୃତ୍ୟାଚାର୍ଯ୍ୟ କୁମାରଭଟ୍ଟଙ୍କର ସ୍ନେହପାଳିତା କନ୍ୟା 'ପାଲି' କହୁଛି। ଆପଣମାନେ ମୋ ପିତାଙ୍କୁ ବନ୍ଦୀ କରିବା ପାଇଁ ଉଦ୍ୟତ ହୋଇ ନ ଥିଲେ, ମୁଁ ସକୁଶଳ ଗୃହକୁ ଫେରିଥାନ୍ତି। ପିତାମାତାଙ୍କ ଇଚ୍ଛାନୁସାରେ ବିବାହ କରି ସ୍ଵାମୀ ସନ୍ତାନଙ୍କ ମେଳରେ ଜୀବନ ବିତାଇଥାନ୍ତି। କିନ୍ତୁ ଆପଣମାନେ ମୋତେ ଆଜି 'ସମ୍ମାନ' ନାମରେ ଯେଉଁ ଘୃଣ୍ୟ ଜୀବନଚର୍ଯ୍ୟା ଭିତରକୁ ଆମନ୍ତ୍ରଣ କରୁଛନ୍ତି, ସେ ସମ୍ମାନର ବୋଝ ତଳେ ଚାପି ହୋଇ  ମୋର ପିତାମାତାଙ୍କ ଜୀବନ ଦୁର୍ବିସହ ହୋଇଯିବ। ହୁଏ ତ ଦୁହେଁ ସମାଜର ଧିକ୍କାର ସହ୍ୟ କରି ନ ପାରି ଆତ୍ମହତ୍ୟା କରିବେ। କେଉଁ ଦୋଷରେ ଆପଣ ଏକ ନିରପରାଧିନୀ ଅବଳାର ସର୍ବନାଶ କରିବାକୁ ଯାଉଛନ୍ତି? ଈଶ୍ଵର ମୋତେ ସୁନ୍ଦରୀ କରି ଗଢିଛନ୍ତି। ସୁନ୍ଦରୀ ହେବା କଣ ଅପରାଧ? ନଗର ବଧୂ! କି ପ୍ରବଞ୍ଚନା! ଆପଣ ବଧୂ ଭଳି ଏକ ସମ୍ଭ୍ରାନ୍ତ ଶବ୍ଦର କିଭଳି ଅପପ୍ରୟୋଗ କରିଛନ୍ତି କହିଲେ? ବାରାଙ୍ଗନା ଆଉ ବଧୂ ମଧ୍ୟରେ ଅନେକ ପ୍ରଭେଦ ମହାମହିମ! କେବଳ ବଧୂ ଶବ୍ଦ ଯୋଡି ଦେଇ ଆପଣ ଗଣରାଜ୍ୟର ସର୍ବଶ୍ରେଷ୍ଠା ସୁନ୍ଦରୀକୁ ସର୍ବଭୋଗ୍ୟା କରିଦେଉଛନ୍ତି। ଯଦି ଏହା ପ୍ରଥା, ତେବେ ଆପଣ ଏ ପ୍ରଥାକୁ ବର୍ଜନ କରିବାକୁ, ଏ ନିୟମ ଭଙ୍ଗ କରିବାକୁ ମୁଁ ଆହ୍ୱାନ ଦେଉଛି।"

ବିଚାରମଞ୍ଚ ନାମକୁ ମାତ୍ର ଗଢା ହୋଇଥିଲା। ମୁଖ୍ୟ ରାଜପୁରୁଷମାନଙ୍କୁ ନେଇ ଗଢା ହୋଇଥିବା ସନ୍ଥାଗାରରେ ଆମ୍ରପାଲିର ବିରୋଧ ସମ୍ପର୍କରେ ଆଲୋଚନା କରିବା ନାମରେ ବିଚାରର ପ୍ରହସନ ଚାଲିଥିଲା। ବହୁଦିନରୁ ପ୍ରଚଳିତ ପ୍ରଥାର ମହିମାମଣ୍ଡନ କରି ଆମ୍ରପାଲିର ବ୍ୟକ୍ତିସତ୍ତାକୁ ଉପେକ୍ଷା କରାଗଲା। ମହାମହିମ ଯୁକ୍ତି ଉପସ୍ଥାପିତ କଲେ ଯେ, ଆମ୍ରପାଲି କେବଳ ସୁନ୍ଦରୀ ନୁହେଁ, ସେ ଅନନ୍ୟା ରୂପସୀ। ଅସାମାନ୍ୟା ସୁନ୍ଦରୀ। ଅସାମାନ୍ୟ ସୌନ୍ଦର୍ଯ୍ୟ କଦାପି ଜଣକ ଅଧିକାରରେ ରହିପାରିବ ନାହିଁ। କେବଳ ବଜ୍ଜୀ ଗଣରାଜ୍ୟ ନୁହେଁ, ସମସ୍ତ ପ୍ରଜାତନ୍ତରେ ଏହି ନିୟମ ପ୍ରଚଳିତ ଅଛି। ସେ ବୁଝାଇଲେ, "ଆମ୍ରପାଲି! ତୁମର ଏହି ତ୍ୟାଗ ଗଣରାଜ୍ୟର ଏକତାକୁ ସୁଦୃଢ କରି ରଖିବ। ନଚେତ୍ ବ୍ୟକ୍ତିଗତ ଭାବରେ ତୁମ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଯୁବା ରାଜପୁରୁଷଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇ ଏକତା ନଷ୍ଟ ହେବ। ପଡୋଶୀ ରାଜ୍ୟ ମଗଧର ଶକ୍ତିଶାଳୀ ସେନା ଆମର ଛିଦ୍ର ଖୋଜୁଛି। ଆମ ଭିତରେ ବିଭେଦ ସୃଷ୍ଟି ହେବା ଅର୍ଥ, ସେ ଆମର ଗଣରାଜ୍ୟକୁ ଆକ୍ରମଣ କରି ବିଭିନ୍ନ ଜନପଦରେ ତାଣ୍ଡବ ଲୀଳା ରଚନା କରିବ। ଆଜି ତୁମର ଅନୁରୋଧ ରକ୍ଷା କରି ହୁଏ ତ ତୁମକୁ ଆମେ ଏହି ନଗରବଧୂ ପଦ ତ୍ୟାଗ କରିବାକୁ ଅନୁମତି ଦେଇ ଦେବୁଁ। କାଲି ଶତ୍ରୁ ଆକ୍ରମଣ କରି ଆମ ଗଣରାଜ୍ୟକୁ ପରାଜିତ କଲେ, କେତେ ବଧୂ ବାରବଧୂ ପାଲଟି ଯିବେ ତାହା କଳ୍ପନା କରିଛ? ମାତୃଭୂମିର ମଙ୍ଗଳ ପାଇଁ ସହସ୍ର ସଂଖ୍ୟାରେ ଆମର ବୀର ସୈନ୍ୟମାନେ ପ୍ରାଣବଳି ଦେଉଛନ୍ତି। ବଜ୍ଜୀ ଗଣରାଜ୍ୟର ସ୍ଵାଧୀନତା ଅକ୍ଷୁଣ୍ଣ ରଖିବାପାଇଁ ତୁମେ କଣ ଏତିକି ତ୍ୟାଗ କରିବ ନାହିଁ? ତୁମକୁ ଏ ତ୍ୟାଗ କରିବାକୁ ହେବ ଅମ୍ବା! ସମଗ୍ର ରାଜ୍ୟସଙ୍ଘର ମଙ୍ଗଳ ପାଇଁ ତୁମକୁ ଏ ହଳାହଳ ପାନ କରିବାକୁ ପଡିବ।"
ତୀର ଲକ୍ଷ୍ୟ ସ୍ଥଳରେ ବାଜିଲା। ଆମ୍ରପାଲି ନିଜ ଦେଶକୁ ହୃଦୟର ସହ ଭଲ ପାଉଥିଲେ। ଦେଶପ୍ରେମ ତାଙ୍କ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା। ସେ ଦୀର୍ଘ ନିଃଶ୍ଵାସ ନେଲେ। ଭାବ ଗମ୍ଭୀର ସ୍ଵରରେ ଘୋଷଣା କଲେ, "ଆପଣଙ୍କ ପ୍ରସ୍ତାବକୁ ମୁଁ ସ୍ଵୀକାର କରୁଛି। ଆମ ଗଣରାଜ୍ୟକୁ ଶତ୍ରୁ କବଳରୁ ନିରାପଦ ରଖିବା ପାଇଁ, ନଗରସମୂହର ନାଗରିକମାନଙ୍କ ସୁରକ୍ଷା ପାଇଁ ଏବଂ ସମଗ୍ର ବଜ୍ଜୀ ଗଣରାଜ୍ୟର ବଧୂମାନଙ୍କର ସତୀତ୍ଵକୁ ନିରାପଦ ରଖିବା ପାଇଁ, ମୁଁ ମୋର ବ୍ୟକ୍ତିଗତ ସୁଖ ତ୍ୟାଗ କରିବି। ମୁଁ ପରିବାରର ମଙ୍ଗଳ ଚିନ୍ତା ପରିହାର କରିବି। ଜନତାଙ୍କୁ ଅମୃତ ପରିବେଷଣ କରିବା ପାଇଁ ମୁଁ ଏ ଜହର ପାନ କରିବି। ଏବେଠାରୁ 'ନଗ୍ରଜନର ହିତ ପାଇଁ ମୁଁ ହେବି ଗଣଭୋଗ୍ୟା ଆମ୍ରପାଲି'।"

କୋହଭରା କଣ୍ଠରେ ଏତିକି କହି ଆମ୍ରପାଲି ଦୁଇ ହାତରେ ମୁହଁ ଘୋଡାଇ କ୍ରନ୍ଦନ କରିବାକୁ ଲାଗିଲେ। ବିଚାର କକ୍ଷରେ ଉପସ୍ଥିତ ସମସ୍ତ ରାଜପୁରୁଷ ଉଚ୍ଛ୍ଵସିତ କଣ୍ଠରେ ଏହି ସମର୍ପିତା ନାରୀର ଜୟଗାନ କଲେ। ସମସ୍ତେ 'ସାଧୁ, ସାଧୁ' କହି, କରତାଳି ଦେଇ ଅଭିନନ୍ଦନ କଲେ। ଆସନ ତ୍ୟାଗ କରି ଆମ୍ରପାଲିଙ୍କୁ ସମ୍ମାନ ଦେଲେ। ରାଜପ୍ରାସାଦ ତୁଲ୍ୟ ଏକ ସୁରମ୍ୟ ଅଟ୍ଟାଳିକାରେ ତାଙ୍କର ରହିବାର ବ୍ୟବସ୍ଥା କରାହେଲା। ଘୋଷଣା କରାଗଲା ଯେ, ଆମ୍ରପାଲି "ନଗର ବଧୂ" ବଦଳରେ "ଜନପଦ କଲ୍ୟାଣୀ" ନାମରେ ଅଭିହିତ ହେବେ। କେହି ତାଙ୍କୁ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ କରିବେ ନାହିଁ। ତାଙ୍କୁ ରାଜ୍ୟର ଯେ କୌଣସି ରାଜପୁରୁଷ ତୁଲ୍ୟ  ମର୍ଯ୍ୟାଦା ପ୍ରାପ୍ତ ହେବ। ଯେତେ ବଡ ଉପାଧିରେ ଭୂଷିତ ବ୍ୟକ୍ତି ହୋଇଥିଲେ ମଧ୍ୟ, ଆମ୍ରପାଲିଙ୍କ ବିନା ଅନୁମତିରେ କେହି ତାଙ୍କ ପ୍ରାସାଦରେ ପ୍ରବେଶ କରିପାରିବେ ନାହିଁ।

ତତ୍ପରଦିନ ଅନୁଷ୍ଠିତ ହେଉଥିବା 'ବୈଶାଳୀ ସୁନ୍ଦରୀ' ପ୍ରତିଯୋଗିତାରେ ଆମ୍ରପାଲିଙ୍କୁ ଭାଗ ନେବାକୁ ପଡିଲା। କହିବା ବାହୁଲ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ଏହି ପଦବୀରେ ଭୂଷିତ କରା ହେଲା। ତାଙ୍କର ଅଭିନନ୍ଦନ ପାଇଁ ନଗରର କେନ୍ଦ୍ର ସ୍ଥଳରେ ଏକ ମଞ୍ଚ ନିର୍ମିତ ହେଲା। ସୁସଜ୍ଜିତ ରଥରେ ବସାଇ ଆମ୍ରପାଲିଙ୍କୁ  ନଗର ଭ୍ରମଣ କରାଯାଇ ସ୍ୱାଗତ ମଞ୍ଚ ଉପରକୁ ନିଆଗଲା। ସମ୍ମାନ ଉତ୍ସବରେ ନା ପିତା କୁମାର ଭଟ୍ଟ ଯୋଗ ଦେଇଥିଲେ ନା ଜନନୀ ମଲ୍ଲିକା। ସମ୍ବର୍ଦ୍ଧନା ଉତ୍ସବ ପରେ ଆମ୍ରପାଲି ଗୃହକୁ ଯାଇଥିଲେ। ଶୂନ୍ୟ ଗୃହ ତାଙ୍କୁ ଉପହାସ କରୁଥିଲା। ପଡୋଶୀ ଲୋକେ କହିଲେ, "ଗତ କାଲି ରାତ୍ରିରୁ କାହାରିକୁ କିଛି ନ କହି ଦୁହେଁ କୁଆଡେ ଚାଲିଯାଇଛନ୍ତି।"
                             
କ୍ରମଶଃ   

Please follow and like us:
0
20
Pin Share20