Coin Monster: Episode 9

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଆମ୍ରପାଲି ନଗରବଧୂ ପ୍ରଥାରେ କେତେକ ପରିବର୍ତ୍ତନ ଆଣିବା ପାଇଁ ଯୁକ୍ତି ବାଢିଥିଲେ। ସ୍ୱଳ୍ପ ବ୍ୟବଧାନରେ ନୂତନ ନଗରବଧୂ ନିର୍ବାଚିତ ହେବା ଦ୍ଵାରା ପୁରାତନ ନଗରବଧୂମାନଙ୍କୁ ଅବଶିଷ୍ଟ ଜୀବନ ଗଣରାଜ୍ୟର ସାଧାରଣ ଗଣିକା ଭଳି ବିତାଇବାକୁ ପଡୁଥିଲା। ତାଙ୍କର ଦାବୀ ଥିଲା ଯେ, ପ୍ରତ୍ୟେକ ନିର୍ବାଚିତ ନଗରବଧୂ ସାତବର୍ଷ ପାଇଁ ‘ଜନପଦ କଲ୍ୟାଣୀ’ ପଦ ନିମନ୍ତେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବେ ଏବଂ ବିଜୟିନୀ ହେଉଥିବା ଯାଏଁ ତାଙ୍କୁ ଏହି ପଦରୁ ନିଷ୍କାସିତ କରାଯାଇ ପାରିବ ନାହିଁ। ଜନପଦର ସନ୍ଥାଗାର ଏହି ସର୍ତ୍ତକୁ ମାନି ନେଇଥିଲା। ଅବଶ୍ୟ ଏହି ବିଶେଷ ଅନୁଗ୍ରହ ଏକା ତାଙ୍କୁ ମିଳିଥିଲା। ନଗରବଧୂମାନଙ୍କ ନିକଟକୁ ଆସୁଥିବା ଆଗନ୍ତୁକମାନଙ୍କ ମଧ୍ୟରେ ବିଦେଶୀ ଗୁପ୍ତଚର କିମ୍ବା ଶତ୍ରୁଦ୍ୱାରା ନିୟୋଜିତ ଆତତାୟୀ ଥିବାର ସମ୍ଭାବନା ରହୁଥିଲା। ତେଣୁ ସାଧାରଣତନ୍ତ୍ରର ହିତ ଦୃଷ୍ଟିରୁ ସେମାନଙ୍କ ପରୀକ୍ଷା ନିଆଯାଇ ନଗରବଧୂ ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିଲା। କିନ୍ତୁ ଏଥିରେ ବ୍ୟକ୍ତି ସ୍ୱାଧୀନତା କ୍ଷୁଣ୍ଣ ହେବା ଦର୍ଶାଇ ଆମ୍ରପାଲି ଏଭଳି ପ୍ରବେଶ ପରୀକ୍ଷାକୁ କୋହଳ କରାଇଥିଲେ। ପୂର୍ବରୁ ସାଧାରଣତଃ ନଗ୍ରବଧୂମାନଙ୍କୁ ବାହାରକୁ ଯିବାପାଇଁ ଅନୁମତି ଦିଆଯାଉ ନ ଥିଲା। କିନ୍ତୁ ଆମ୍ରପାଲି ଛଦ୍ମ ବେଶରେ କିମ୍ବା ମୁଖ ଆବୃତ କରି ନଗର କିମ୍ବା ନଗର ବାହାରେ କୌଣସି ଅଞ୍ଚଳକୁ ଯାଇପାରିବେ ବୋଲି ଅନୁମତି ଲାଭ କରିଥିଲେ।

ଆମ୍ରପାଲି ଯେଉଁ ଦାବୀ ଉପସ୍ଥାପିତ କରୁଥିଲେ ତାହା ଗୃହୀତ ହୋଇଯାଉଥିଲା। ତାର କାରଣ ଥିଲା ମନୁଦେବଙ୍କର ବିଶେଷ ଅନୁଗ୍ରହ। ବୈଶାଳୀର ସର୍ବଶ୍ରେଷ୍ଠା ସୁନ୍ଦରୀ ଆମ୍ରପାଲିଙ୍କୁ ଅଙ୍କଶାୟିନୀ କରିବାପାଇଁ ଯେଉଁ ପ୍ରଥମ ପୁରୁଷ ହସହସ ମୁଖରେ ପ୍ରଣୟ ନିବେଦନ କଲେ, ସେ ଥିଲେ ତାଙ୍କ ପିତାଙ୍କର ସମବୟସ୍କ ମନୁଦେବ। ଘୃଣାରେ ଆମ୍ରପାଲିଙ୍କ ଦେହ ଶିହରି ଉଠିଥିଲା। ପୁଷ୍ପକୁମାରଙ୍କ ହତ୍ୟା ଏବଂ ପଲ୍ଲବୀର ଅପହରଣ ପଛରେ ଥିବା କାରଣ ତାଙ୍କୁ ଅଛପା ରହିଲା ନାହିଁ। ସେ ସନ୍ଦେହ କଲେ ଯେ, ତାଙ୍କର ପିତାମାତାଙ୍କୁ ମଧ୍ୟ ହତ୍ୟା କରାଯାଇଥିବ। ତାଙ୍କ ମନରୁ ଗଣତନ୍ତ୍ର ପ୍ରତି ସମର୍ପଣ, ଦେଶଭକ୍ତି ଭଳି ଭାବନା ସବୁ ଅନ୍ତର୍ହିତ ହୋଇଗଲା। ମନେ ମନେ ସେ ଏହି ସବୁ ଷଡଯନ୍ତ୍ରର ପ୍ରତିଶୋଧ ନେବାକୁ ସ୍ଥିର କଲେ। କିନ୍ତୁ ମନୁଦେବଙ୍କୁ ତାଙ୍କ ଭିତରେ ଆସିଥିବା ପରିବର୍ତ୍ତନ ବିଷୟରେ ଜାଣିବାକୁ ଦେଲେନାହିଁ। ଏବେ ତାଙ୍କର ଲକ୍ଷ୍ୟ ଥିଲା ଅଧିକରୁ ଅଧିକ ଧନ ଅର୍ଜନ କରିବା।

ମହାଜନପଦ ଲିଚ୍ଛାବିର ରାଜନର୍ତ୍ତକୀ, ବୈଶାଳୀର ‘ଜନପଦ କଲ୍ୟାଣୀ’ ଆମ୍ରପାଲି ପାଦ ତଳେ ଅସରନ୍ତି ସମ୍ପଦ ଅଜାଡି ହୋଇ ପଡିଲା। ଆମ୍ରକୁଞ୍ଜ ପରିବେଷ୍ଟିତ ସପ୍ତଭୂମି ପ୍ରାସାଦ “ଆମ୍ରପାଲି ଭବନ” ମଧ୍ୟରେ ତାଙ୍କର ବିଶିଷ୍ଟ ବିଳାସ କକ୍ଷର ନାମ ଥିଲା ‘ସ୍ୱପ୍ନ କକ୍ଷିକା’। ସାଧାରଣ ନାଗରିକଙ୍କୁ ସେହି କକ୍ଷରେ ପ୍ରବେଶ କରିବା ପାଇଁ ସ୍ୱପ୍ନ ଦେଖିବା ନିଷେଧ ଥିଲା।ସେଠାରେ ଗୋଟିଏ ରାତ୍ରିଯାପନ ପାଇଁ ସର୍ବନିମ୍ନ ଦେୟ ଥିଲା ଅର୍ଦ୍ଧଶତ ‘କାର୍ଷାପଣ’ (ରୌପ୍ୟମୁଦ୍ରା)। କିନ୍ତୁ ବହୁ ସମ୍ଭ୍ରାନ୍ତ ସାମନ୍ତ, ସମ୍ପନ୍ନ ରାଜପୁରୁଷ ଏବଂ ଧନାଢ୍ୟ ବଣିକ ଆମ୍ରପାଲିଙ୍କୁ ସ୍ଵର୍ଣ୍ଣମୁଦ୍ରାରେ ପୋତି ପକାଉଥିଲେ। ଅଳ୍ପ ସମୟ ମଧ୍ୟରେ ଆମ୍ରପାଲି ସେ କାଳର କୌଣସି ଏକ ନରପତିଙ୍କ ତୁଲ୍ୟ ଧନଶାଳୀ ହୋଇଗଲେ।ତାଙ୍କର ନାମ ଭାରତ ବର୍ଷର ବିଭିନ୍ନ ରାଜ୍ୟକୁ ପ୍ରସରିଗଲା। କୁହାଯାଏ ଯେ, ସେତେବେଳେ ଆମ୍ରପାଲିଙ୍କ ପରିଚୟରେ ହିଁ ବୈଶାଳୀ ଅନ୍ୟରାଜ୍ୟମାନଙ୍କରେ ପରିଚିତ ଏବଂ ଗୌରବାନ୍ଵିତ ହେଉଥିଲା।

ସେ ବର୍ଷ ବୈଶାଳୀର ‘ମଧୁପର୍ବ’ ଉତ୍ସବରେ ରାଜନର୍ତ୍ତକୀ ଆମ୍ରପାଲିଙ୍କର ନୃତ୍ୟ ଉପଭୋଗ କରିବା ପାଇଁ ରାଜ୍ୟାନ୍ତରରୁ ରାଜପୁରୁଷ ଏବଂ ପ୍ରସିଦ୍ଧ କଳାକାରମାନେ ଆସିଥିଲେ। ‘କୌଶାମ୍ବି’ର ସ୍ଵନାମଧନ୍ୟ ଵୀଣାବାଦକ, ମହାରାଜ ଉଦୟନ ଆସିଥିଲେ ସଙ୍ଗୀତଜ୍ଞ ଭାବରେ ଆମନ୍ତ୍ରଣ ପାଇ। ତାଙ୍କ ନିକଟରେ ‘ମଞ୍ଜୁଘୋଷ’ ନାମରେ ଏକ ସ୍ଵତନ୍ତ୍ର ବୀଣା ଥିଲା। ତାଙ୍କର ବୀଣାବାଦନ ସହ ଆମ୍ରପାଲିଙ୍କ ନୃତ୍ୟର ଯୁଗଳବନ୍ଦୀ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ମହାରାଜ ଉଦୟନ ବୈଶାଳୀରୁ ମଗଧକୁ ଯାତ୍ରା କରିଥିଲେ ଏବଂ ରାଜଗୃହ ରାଜସଭାରେ ଆମ୍ରପାଲିର ରୂପ ଓ ନୃତ୍ୟର ଉଚ୍ଛସ୍ଵିତ ପ୍ରଶଂସା କରିଥିଲେ। ମହାରାଜ ବିମ୍ବିସାର ମଧ୍ୟ ବୀଣାବାଦନରେ ଏବଂ ଚିତ୍ରକଳାରେ ନିପୁଣ ଥିଲେ। ସେ ଆମ୍ରପାଲିଙ୍କୁ ସାକ୍ଷାତ କରିବାର ଆକାଂକ୍ଷା ସମ୍ବରଣ କରିପାରିଲେ ନାହିଁ ଏବଂ ମନେ ମନେ ବୈଶାଳୀ ଯାତ୍ରା କରିବାକୁ ନିର୍ଣ୍ଣୟ ନେଲେ। କିନ୍ତୁ ମଗଧ ଓ ଲିଚ୍ଛାବି ମଧ୍ୟରେ ଘୋର ଶତ୍ରୁତା ଥିଲା। ସେ ଛଦ୍ମବେଶରେ ବୈଶାଳୀ ଯିବାକୁ ସ୍ଥିର କଲେ।

କ୍ରମଶଃ

Please follow and like us:
0
20
Pin Share20