ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
ମହାପଦ୍ମନନ୍ଦଙ୍କର ଆଠଟି ପୁତ୍ର ଥିଲେ। ଏମାନେ ଥିଲେ ପାଣ୍ଡୁକ, ପାଣ୍ଡୁଗତି, ଭୂତପାଳ ରାଷ୍ଟ୍ରପାଳ, ଗୋବିଷାଣକ, ଦଶସିଦ୍ଧକ, କୈବର୍ତ୍ତ ଓ ଧନନନ୍ଦ। ପିତାପୁତ୍ରଙ୍କୁ ମିଶାଇ ନବନନ୍ଦ ଥିଲେ। ମହାରାଣୀ ମହାନନ୍ଦିନୀଙ୍କର କନିଷ୍ଠ ପୁତ୍ର ଥିଲେ ଧନନନ୍ଦ। ରାଜା ମହାପଦ୍ମନନ୍ଦ ସର୍ବଦା ସତର୍କ ଥିଲେ। ସବୁଠାରୁ ଅଧିକ ଭୟ ଥିଲା ପୁତ୍ରମାନଙ୍କଠାରୁ। ତେଣୁ ସେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ରାଜା କରାଇ ଦେଇଥିଲେ। କେତେକଙ୍କ ମତରେ ସେମାନଙ୍କୁ ବଡ଼ରୁ ସାନ କ୍ରମରେ ମଗଧ ସିଂହାସନରେ ବସିବାକୁ ଦିଆଯାଇଥିଲା ଏବଂ ସାତଜଣ ପୁତ୍ରଙ୍କ ପରେ ଧନନନ୍ଦ ସିଂହାସନରେ ଅଧିରୂଢ ହୋଇଥିଲେ। ଅଧିକାଂଶ ମତ ଅନୁସାରେ ଏହି ପୁତ୍ରମାନେ ସମୁଦାୟ ବାଇଶି ବର୍ଷ ରାଜତ୍ୱ କରିଥିଲେ। ତେଣୁ ମନେ ହୁଏ ଯେ ଆଜିକାଲିର ଯୁଗଳ ମୁଖ୍ୟମନ୍ତ୍ରୀ ପ୍ରଥା ଭଳି ସେତେବେଳେ କିଏ କେତେ ବର୍ଷ ଶାସନ କରିବେ, ସେଥିପାଇଁ କିଛି ନିୟମ ପ୍ରଣୟନ କରାଯାଇଥିବ। ଅନ୍ୟ ମତରେ ଧନନନ୍ଦ ଅଧିକ ପରାକ୍ରମୀ ଥିଲେ ଏବଂ କେତେକ ଯୁଦ୍ଧରେ ମଗଧକୁ ବିଜୟ ଆଣିଦେଇଥିବାରୁ ତାଙ୍କୁ ପାଟଳୀପୁତ୍ର ରାଜଗାଦିରେ ଆସୀନ କରା ଯାଇଥିଲା। ଧନନନ୍ଦ ଖ୍ରୀଷ୍ଟ ପୂର୍ବ ୩୨୯ ରୁ ୩୨୧ ପର୍ଯ୍ୟନ୍ତ ଶାସନ କରିଥିଲେ। ଯେତେ ଅନୁସନ୍ଧାନ କଲେ ମଧ୍ୟ ମହାପଦ୍ମନନ୍ଦଙ୍କର ଅପମୃତ୍ୟୁର କୌଣସି ସନ୍ଧାନ ମିଳିଲା ନାହିଁ ଅର୍ଥାତ୍ କୌଣସି ଘାତକ ହସ୍ତରେ କିମ୍ବା ଷଡଯନ୍ତ୍ରର ଶିକାର ହୋଇ ମୃତ୍ୟୁ ବରଣ କରିବାର ପ୍ରମାଣ ମିଳି ନାହିଁ। ସମ୍ଭବତଃ ସେ ସ୍ଵାଭାବିକ ମୃତ୍ୟୁ ବରଣ କରିଥିଲେ।
ଉତ୍ତରାଧିକାରୀ ସୂତ୍ରରେ ଧନନନ୍ଦ ଏକ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ। କିନ୍ତୁ 'କୁଳ ବୁଡିବା ବେଳକୁ ଘୋଡାମୁହାଁ ପୁତ୍ର ଜନ୍ମ ନେବା'ର ଉଦାହରଣ ଥିଲେ ସେ। ପିତାଙ୍କର ସୁଦୃଢ ଶାସନ ପ୍ରଣାଳୀ, ଜ୍ଞାନୀ ଗୁଣୀ ଅମାତ୍ୟଙ୍କର ସମାୟୋଚିତ ମନ୍ତ୍ରଣା ଏବଂ ପ୍ରଜାମାନଙ୍କର ମଙ୍ଗଳ ଆଦି ଉପରେ ସେ ଗୁରୁତ୍ୱ ଦେଉ ନ ଥିଲେ। ଧନନନ୍ଦଙ୍କୁ ଧନାନନ୍ଦ ମଧ୍ୟ କୁହାଯାଉଥିଲା। ଇତିହାସର ବିଭିନ୍ନ ବିବିଧତା ସତ୍ତ୍ଵେ ଗୋଟିଏ ବିଷୟରେ ସମସ୍ତେ ଏକମତ ଯେ, ସେ ଧନଲାଭରେ ହିଁ ଆନନ୍ଦିତ ହେଉଥିଲେ। ଧନପ୍ରାପ୍ତି ପାଇଁ ପାଗଳ ଥିଲେ ସେ। ପ୍ରକୃତରେ ଏହା ତାଙ୍କର ଏକପ୍ରକାର ମାନସିକ ରୋଗ ଥିଲା ବୋଲି ଅନେକ ବିଶ୍ୱାସ କରନ୍ତି। ରାଜକୋଷ ପରିପୂର୍ଣ୍ଣ ଥିଲା। କିନ୍ତୁ ତାଙ୍କର ଲୋଭର କୋଷାଗାର ସର୍ବଦା ଅପୂର୍ଣ୍ଣ ରହୁଥିଲା। ଏଥିପାଇଁ ସେ ପ୍ରଜାମାନଙ୍କ ଉପରେ ନାନା ପ୍ରକାର କର ବସାଉଥିଲେ। କର ବୃଦ୍ଧି କରୁଥିଲେ। କିନ୍ତୁ ଏହା ସେ ଅତି ଚତୁରତାର ସହ ଅର୍ଥ ମନ୍ତ୍ରୀ ଶକଟାରଙ୍କ ନାମରେ କରାଉଥିଲେ। ପ୍ରଜାମାନେ ବୁଝୁଥିଲେ ଯେ, ଏ ସବୁ ଦୁଷ୍ଟ ମନ୍ତ୍ରୀ ଶକଟାରଙ୍କ କାମ।
ଚାଣକ୍ୟ! ଇତିହାସର ପ୍ରସିଦ୍ଧ ପୁରୁଷ ଚାଣକ୍ୟΙ ଅର୍ଥନୀତି ବିଶେଷଜ୍ଞ, ରାଜନୀତି ବିଶାରଦ, ରଣନୀତି ନିପୁଣ ବିଷ୍ଣୁଗୁପ୍ତ, କୂଟନୀତି ପ୍ରୟୋଗରେ ପ୍ରବୀଣ କୌଟିଲ୍ୟ! ତାଙ୍କର ଜନ୍ମସ୍ଥାନ ବିଷୟରେ ଇତିହାସ ପୃଷ୍ଠାରେ ନିଦ୍ଦିଷ୍ଟ ଭାବରେ କିଛି ଉଲ୍ଲେଖ ନ ଥିଲେ ମଧ୍ୟ କେହି କେହି ପାଟଳୀପୁତ୍ର ହୋଇଥାଇପାରେ ବୋଲି ଅନୁମାନ କରନ୍ତି। ତାଙ୍କ ପିତାଙ୍କର ନାମ ଚଣକ ଏବଂ ମାତାଙ୍କ ନାମ ଚାଣେଶ୍ୱରୀ । ମନେ ହୁଏ, ଏହି ନାମ ଦୁଇଟି ଚାଣକ୍ୟଙ୍କ ନାମକୁ ନେଇ କଳ୍ପନା କରାଯାଇଥିବ।
ଚାଣକ୍ୟ କହିଲେ ଆମେ ଜଣେ ଶିଖାସର୍ବସ୍ଵ ମସ୍ତକ ବିଶିଷ୍ଟ କୃଷ୍ଣକାୟ, କୁରୂପ, କ୍ରୋଧୀ, ପ୍ରତିହିଂସାପରାୟଣ ବ୍ରାହ୍ମଣଙ୍କୁ ବୁଝୁଁ। ଆମ ମନ ଦର୍ପଣରେ ଦୁଇଟି ଦୃଶ୍ୟ ପ୍ରତିବିମ୍ବିତ ହୁଏ। ଜଣେ ବ୍ରାହ୍ମଣ ପାଦରେ କୁଶ ବାଜି ଯନ୍ତ୍ରଣା ହେବାରୁ କୁଶବୁଦାକୁ ନିର୍ମୂଳ କରୁଛନ୍ତି। ଆଉ ସେହି ବିପ୍ର ନନ୍ଦ ରାଜସଭାରେ ଅପମାନିତ ହୋଇ ନନ୍ଦବଂଶକୁ ନିର୍ମୂଳ କରିବା ପାଇଁ ପ୍ରତିଜ୍ଞା କରୁଛନ୍ତି। କିନ୍ତୁ ସେତିକି ଆମ ପାଇଁ ଯଥେଷ୍ଟ ନୁହେଁ। ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କର ଗୁରୁ ଚାଣକ୍ୟ ଆମ 'ମୁଦ୍ରା ରାକ୍ଷସ' ନାଟକର ନାୟକ। ତାଙ୍କ ବିଷୟରେ କିଛି ଅଧିକ ଜାଣିବା ପାଇଁ ତାଙ୍କ ବାଲ୍ୟକାଳ ଉପରେ ମଧ୍ୟ ଦୃକ୍ ପାତ କରିବା ଆବଶ୍ୟକ।
ଚାଣକ୍ୟଙ୍କ ପିତା ଆଚାର୍ଯ୍ୟ ଚଣକ ପାଟଳୀପୁତ୍ରରେ ଏକ ଗୁରୁକୁଳର ଶିକ୍ଷକ ହେବା ସହ ମନ୍ତ୍ରୀ ଶକଟାରଙ୍କ ବନ୍ଧୁ ଥିଲେ। ଅନେକ ସମୟରେ ଶକଟାର ତାଙ୍କଠାରୁ ପରାମର୍ଶ ଗ୍ରହଣ କରୁଥିଲେ। ରାଜା ଧନାନନ୍ଦଙ୍କର ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ସଦସ୍ୟ କେବଳ ତୋଷାମଦ କରିବାରେ ନିପୁଣ ଥିଲେ। ରାଜାଦେଶକୁ ବିନା ପ୍ରତିବାଦରେ ସମର୍ଥନ କରିବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। ଶକଟାର ନଗର ଭ୍ରମଣ କଲା ସମୟରେ ଲୋକେ ତାଙ୍କ ପ୍ରତି ଘୃଣାପୂର୍ଣ୍ଣ ବ୍ୟବହାର କରୁଥିବାର ଜାଣି ତାର କାରଣ ଅନୁସନ୍ଧାନ କଲେ। ସଦ୍ୟ ଏକ ନୂତନ କର ପ୍ରବର୍ତ୍ତିତ ହୋଇଥିଲା। ଶବଦାହ ପାଇଁ ଆବଶ୍ୟକ ହେଉଥିବା କାଷ୍ଠ ଉପରେ ମଧ୍ୟ କର ନିଧାର୍ଯ୍ୟ ହୋଇଥିଲା। ଏହି କରଧାର୍ଯ୍ୟ ତାଙ୍କ ଅଜ୍ଞାତରେ ତାଙ୍କ ନାମରେ ଘୋଷିତ ହୋଇଥିଲା। 'ପ୍ରଜାଙ୍କଠାରୁ ଏଭଳି କର ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ' ବୋଲି ଶକଟାର ରାଜାଙ୍କ ନିକଟରେ ଆପତ୍ତି କଲେ। ତାଙ୍କର କେହି ଶତ୍ରୁ ତାଙ୍କ ନାମରେ ଏଭଳି ଆଦେଶ ଦେଇଛି ବୋଲି ଶଙ୍କା ପ୍ରକାଶ କଲେ। କିନ୍ତୁ ରାଜା ଧନାନନ୍ଦ ସ୍ପଷ୍ଟ କହିଲେ, "ଯାହା କିଛି ହେଉଛି, ତାହା ମୋ ଆଦେଶରେ ହେଉଛି। ଏଥିରେ ମୋତେ କିଛି ଅନ୍ୟାୟ ଦେଖା ଯାଉନାହିଁ। ଆପଣଙ୍କୁ ଦେଖାଯାଉଛି? ରାଜାଙ୍କ କଥା ଅନୁସାରେ ଚାଲନ୍ତୁ। ମଙ୍ଗଳରେ ରହିବେ। ଯଦି ଅସୁବିଧା ବୋଧ ହେଉଛି, ଆପଣ ପଦତ୍ୟାଗ କରିପାରନ୍ତି।" ଶକଟାରଙ୍କର ଇଚ୍ଛା ହେଉଥିଲା, ସେହି ମୁହୂର୍ତ୍ତରେ ଅର୍ଥମନ୍ତ୍ରୀର ଦାୟିତ୍ୱରୁ ଅବ୍ୟାହତି ନେଇଯିବା ପାଇଁ। କିନ୍ତୁ ପରିଣତି କେତେ ଭୟଙ୍କର ହେବ, ତାହା ସେ ଭଲ ଭାବେ ବୁଝିଥିଲେ। ତେଣୁ ସେ ନୀରବରେ ଫେରି ଆସିଲେ ମୁଣ୍ଡ ନୁଆଇଁ। ତାଙ୍କର ମନ ବିଚଳିତ ହେଉଥିଲା। ଉପଯୁକ୍ତ ଉପଦେଶ ଦେବା ଭଳି ଜଣେ ବନ୍ଧୁ ଥିଲେ ତାଙ୍କର। ଆଚାର୍ଯ୍ୟ ଚଣକ। କିନ୍ତୁ ସେ ଅନୁଭବ କଲେ ଯେ ରାଜା ନନ୍ଦଙ୍କର ଗୁପ୍ତଚର ତାଙ୍କ ଉପରେ ଦୃଷ୍ଟି ରଖିଛି। ବନ୍ଧୁଙ୍କୁ ବିପଦରେ ପକାଇବାକୁ ଶକଟାର ଚାହୁଁ ନ ଥିଲେ। ସେ ଅପେକ୍ଷା କଲେ। ରାତ୍ରି ଅର୍ଦ୍ଧରେ ମୁଖ ଆବୃତ କରି ସେ ଆଚାର୍ଯ୍ୟ ଚଣକଙ୍କ ଆବାସରେ ପ୍ରବେଶ କଲେ Ι
କ୍ରମଶଃ