ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ
କ୍ଷୁର ଛାଡି ଖଡ୍ଗ ଧାରଣ କରି, ନାପିତରୁ ନୃପତି ପାଲଟିଥିବା ମହାପଦ୍ମନନ୍ଦ ବାସ୍ତବରେ ଅତ୍ୟନ୍ତ ଚତୁର ଥିଲେ। ଦେଖିବାକୁ ସୁନ୍ଦର ଥିଲେ। ତାଙ୍କ ରୂପରେ ମୋହିତ ହୋଇ ବିପଥରେ ପାଦ ଥାପିଥିବା ମହାରାଣୀ ଆନନ୍ଦି, ଜଣକ ପରେ ଜଣେ ପୁତ୍ରର ମୃତ୍ୟୁ ସମ୍ବାଦ ଶୁଣି ଭୟରେ ଶିହରି ଉଠୁଥିଲେ। ଏ ବିଷୟରେ ସେ ନିଜର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ରାଜା ନନ୍ଦଙ୍କ ନିକଟରେ। ଦିନେ ରାତ୍ରରେ ଉଭୟଙ୍କ ମଧ୍ୟରେ କିଛି ତୀବ୍ର ବାକ୍ୟ ବିନିମୟ ହୋଇଗଲା। ପରଦିନ ପ୍ରଭାତରେ ଅନ୍ତଃପୁରରେ ରାଣୀ ଆନନ୍ଦିଙ୍କର ଦର୍ଶନ ମିଳିଲା ନାହିଁ। ପୁତ୍ରଶୋକରେ ମହାରାଣୀ ନବରରୁ କୁଆଡେ ପଳାୟନ କରିଛନ୍ତି ବୋଲି କତିପୟା ଦାସୀ ପ୍ରଚାର କଲେ। କିନ୍ତୁ ଯେଉଁ ଅନ୍ତେବାସିନୀଗଣ ରାତ୍ରିରେ ମହାରାଣୀଙ୍କ କକ୍ଷରୁ ଆର୍ତ୍ତ ଚିତ୍କାର ଶୁଣିଥିଲେ, ସେମାନେ ଭିନ୍ନ ଆଶଙ୍କା କରୁଥିଲେ ମଧ୍ୟ ପ୍ରକାଶ କରିବାକୁ ସାହସ କଲେ ନାହିଁ।
ସେତେବେଳ ପର୍ଯ୍ୟନ୍ତ କେବଳ କ୍ଷତ୍ରିୟମାନେ ରାଜା ହେବା ବିଧି ଥିଲା। ଭିନ୍ନ ଭିନ୍ନ ରାଜ୍ୟରେ କ୍ଷତ୍ରିୟ ରାଜାମାନେ ଥିଲେ। ସେମାନଙ୍କ ମୁଖରୁ ମହାପଦ୍ମନନ୍ଦଙ୍କୁ 'ନୃଶଂସ ନାପିତ' 'ତୁଚ୍ଛ କ୍ଷୌରକାର' ଆଦି ତିରସ୍କାର ଶ୍ରବଣ କରିବାକୁ ପଡୁଥିଲା। ସେ ପ୍ରଥମେ ଏକ ଶକ୍ତିଶାଳୀ ସେନା ଗଠନ କଲେ। ପଦାତିକ, ଅଶ୍ଵାରୋହୀ, ହସ୍ତୀ ବାହିନୀ ଏବଂ ରଥାରୂଢ ସେନାପତିମାନେ ମଗଧର ସେନାବାହିନୀକୁ ସମୃଦ୍ଧ କଲେ। ସୁଶିକ୍ଷିତ ଯୁଦ୍ଧ ବିଶାରଦମାନେ ସେମାନଙ୍କୁ ବିଭିନ୍ନ ସଂଗ୍ରାମ କୌଶଳ ଶିକ୍ଷା ଦେଲା ପରେ ତାଙ୍କର ରାଜ୍ୟ ବିସ୍ତାର ଆରମ୍ଭ ହେଲା। ସେ ଏକ ନୂତନ ଯୁଦ୍ଧ କୌଶଳ ଅବଲମ୍ବନ କରୁଥିଲେ। ଅଳ୍ପ କେତେକ ସୁଶିକ୍ଷିତ ଏବଂ ଶକ୍ତିଶାଳୀ ସୈନ୍ୟଙ୍କୁ ନେଇ ସେ ଅଚାନକ ସିଧା ରାଜ୍ୟର ରାଜଧାନୀ ଉପରେ ଆକ୍ରମଣ କରି ରାଜା କିମ୍ବା ମନ୍ତ୍ରୀ ସେନାପତିଙ୍କ ମଧ୍ୟରୁ କେତେଜଣଙ୍କୁ ମାରିଦେଉଥିଲେ। ପରେ ପରେ ତାଙ୍କର ବିଶାଳ ସେନା ବାହିନୀ ସେଠାରେ ପହଞ୍ଚି ଆତଙ୍କ ଖେଳାଇ ଦେଉଥିଲେ। ସେଥିପାଇଁ କେତେକ ଐତିହାସିକ ତାଙ୍କୁ ଦସ୍ୟୁ ସର୍ଦ୍ଦାର ଭାବରେ ଚିତ୍ରଣ କରିଛନ୍ତି। ତାଙ୍କର ସେନା ଅତି ଉଗ୍ର ଥିବାରୁ ତାଙ୍କୁ 'ଉଗ୍ରସେନ' ବୋଲି ମଧ୍ୟ କୁହାଯାଇଛି। ପର୍ଶୁରାମଙ୍କ ଭଳି ମହାପଦ୍ମନନ୍ଦଙ୍କର ଲକ୍ଷ୍ୟ ଥିଲା, ସମସ୍ତ କ୍ଷତ୍ରିୟ ରାଜାମାନଙ୍କୁ ହତ୍ୟା କରିବା। ସେ ଅନେକାଂଶରେ ଏହି ଲକ୍ଷ୍ୟ ପୂରଣ କରିଥିଲେ। ତେଣୁ ତାଙ୍କୁ 'ସର୍ବକ୍ଷତ୍ରିୟାନ୍ତକ' ଉପାଧି ମଧ୍ୟ ମିଳିଥିଲା।
ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଥିଲେ ନନ୍ଦବଂଶର ଏହି ପ୍ରଥମ ନରପତି। ତାଙ୍କ ସମୟରେ ପଶ୍ଚିମରେ ଯମୁନା ନଦୀଠାରୁ ପୂର୍ବରେ କଳିଙ୍ଗ, ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ନନ୍ଦ ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା। ସେ ନିଜେ ରଣନୀତି ପ୍ରସ୍ତୁତ କରୁଥିଲେ। ନିଜ ତତ୍ତ୍ଵାବଧାନରେ ସେହି କୌଶଳକୁ କାର୍ଯ୍ୟକାରୀ କରାଉଥିଲେ। କୋଶଳ, ଅବନ୍ତୀ, ଅଙ୍ଗ, ବତ୍ସ, ପାଞ୍ଚାଳ, ବୀତିହୋତ୍ର, ହୈହୟ, କାଶୀ ଏବଂ କୁରୁ ଆଦି ଜୟ କରି ସେ ନିଜ ରାଜ୍ୟର ଅଧୀନକୁ ଆଣିଥିଲେ। ମହାରାଷ୍ଟ୍ରର ନାନ୍ଦେଡ଼ ପର୍ଯ୍ୟନ୍ତ ତାଙ୍କର ସେନା ମାଡି ଯାଇଥିବାର ପ୍ରମାଣ ମିଳେ। ନନ୍ଦରୁ 'ନାନ୍ଦେଡ' ନାମ ଆସିଥିବା ଅନେକ ବଶ୍ୱାସ କରନ୍ତି। ଭାରତ ଇତିହାସରେ ପ୍ରଥମ ଚକ୍ରବର୍ତ୍ତୀସମ୍ରାଟ ହେବାର ଗୌରବ ମହାପଦ୍ମନନ୍ଦଙ୍କୁ ମିଳିଥିଲା। ସେଥିପାଇଁ ସେ ନିଜକୁ 'ଏକରାଟ' ବା ଏକାଙ୍ଗ ଚକ୍ରବର୍ତ୍ତୀ ଘୋଷିତ କରିଥିଲେ। ତାଙ୍କର ବିଶାଳ ସେନା ଦୁଇ ଲକ୍ଷ ପଦାତି, କୋଡିଏ ହଜାର ଅଶ୍ଵାରୋହୀ, ଦୁଇହଜାର ରଥ ଏବଂ ତିନି ହଜାର ହାତୀଙ୍କୁ ନେଇ ସମୃଦ୍ଧ ଥିଲା।
ମନୁଷ୍ୟଠାରେ ଏକାଧାରରେ ବିପରୀତ ଚରିତ୍ରମାନଙ୍କର ସମାବେଶ କ୍ଵଚିତ୍ ଦେଖିବାକୁ ମିଳିଥାଏ। ଜଣେ ନିଷ୍ଠୁର ନରହତ୍ୟାକାରୀ ହେବା ସଙ୍ଗେ ସଙ୍ଗେ ଏକ ଆଦର୍ଶ ସମ୍ରାଟ ଭାବେ ନିଜକୁ ପ୍ରତିଷ୍ଠିତ କରିଯାଇଥିଲେ ମହାପଦ୍ମନନ୍ଦ। କାତ୍ୟାୟନ ଏବଂ ବରରୁଚିଙ୍କ ଭଳି ଅନେକ ଜ୍ଞାନୀ ବ୍ୟକ୍ତିଙ୍କୁ ସେ ନିଜର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ। 'ଅଷ୍ଟାଧ୍ୟାୟୀ ବ୍ୟାକରଣ' ରଚୟିତା ମହାନ୍ ସଂସ୍କୃତଜ୍ଞ 'ପାଣିନି' ତାଙ୍କର ପ୍ରିୟ ବନ୍ଧୁ ଥିଲେ। ଦେଶର ବିଭିନ୍ନ ସ୍ଥାନରୁ ବିଦ୍ଵାନ ଶାସ୍ତ୍ରଜ୍ଞ ପଣ୍ଡିତମାନେ ରାଜଧାନୀ ପାଟଳୀପୁତ୍ରକୁ ଆସି ସେମାନଙ୍କ ଜ୍ଞାନ ପ୍ରଦର୍ଶନ କରି ପୁରସ୍କୃତ ହେଉଥିଲେ। ରାଜାଙ୍କ ପୃଷ୍ଠପୋଷକତାରେ ପାଟଳୀପୁତ୍ରରେ ଅନେକ ଗୁଡିଏ ଶିକ୍ଷାକେନ୍ଦ୍ର ଗଢି ଉଠିଥିଲା ଏବଂ ରାଜ୍ୟରୁ ଏବଂ ବାହାରୁ ବିଦ୍ୟାର୍ଥୀମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ।
ସେ ଅନେକ ପ୍ରକାର ଶାସନ ସଂସ୍କାର ଆଣିଥିଲେ। ତାଙ୍କ ଶାସନରେ ଥିବା ସମସ୍ତ ରାଜ୍ୟରେ ଏକା ପ୍ରକାର ଓଜନ ଏବଂ ମାପର ଏକକ ପ୍ରଚଳିତ ହୋଇଥିଲା। ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ କାରବାର ବୃଦ୍ଧି ପାଇଥିଲା ଏବଂ କେତୋଟି ରାଜ୍ୟରେ ସେ ଜଳସେଚନ ବ୍ୟବସ୍ଥା ମଧ୍ୟ କରାଇଥିଲେ। ତାଙ୍କର ଆଠଟି ପୁତ୍ର ଥିଲେ। ସେମାନଙ୍କୁ ସେ ବିଭିନ୍ନ ରାଜ୍ୟର ଶାସନ ଦାୟିତ୍ୱ ଦେଇଥିଲେ ମଧ୍ୟ ସବୁ ରାଜ୍ୟ ଉପରେ ମଗଧର ପ୍ରଭୁତ୍ଵ ଥିଲା। ତେଣୁ ତାଙ୍କୁ 'କେନ୍ଦ୍ରୀୟ ଶାସନ ପଦ୍ଧତି'ର ଜନକ ବୋଲି କୁହାଯାଏ।
କ୍ରମଶଃ