Chandrakanta: Episode 24

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ଚପଳା କୌଣସି ସାଧାରଣ ସ୍ତ୍ରୀ ନଥିଲା । ସେ ଅତୀବ ସୁନ୍ଦରୀ ଆଉ କୋମଳ ହେବା ସହ ତା’ ଶରୀରରେ ଭରି ରହିଥିଲା ଅଫୁରନ୍ତ ଶକ୍ତି । ଦୁଇ ଚାରିଜଣ ମରଦଙ୍କୁ ଏକୁଟିଆ ପାଣି ପେଇଦେବାର କ୍ଷମତା ଥିଲା ତା’ ପାଖରେ । ଶସ୍ତ୍ର ବିଦ୍ୟାରେ ସେ ଥିଲା ନିପୁଣା । କ୍ଷୀପ୍ରଚାରିତା ଗୁଣ ଛଡା ତା’ ପାଖରେ ଆହୁରି ଅନେକ ଗୁଣ ରହିଥିଲା । ନାଚ ଗୀତ କରିବାରେ ସେ ଥିଲା ଓସ୍ତାଦ । ଆଉ ମଧ୍ୟ ଆତସବାଜିରେ ତାର ବଡ଼ ସଉକ ଥିଲା । ମୁଁ ଭଲା କି କି ଗୁଣ ତାର ବଖାଣିବି ? ସେ ଥିଲା ସର୍ବଗୁଣସମ୍ପନ୍ନା … ଏମିତି କିଛି କଳା ନଥିଲା ଯାହା ଚପଳାକୁ ଅଜଣା ଥିଲା । ଚପଳାର ଗୋରା ରଙ୍ଗ ସୁଢଳ ଶରୀରକୁ ଯିଏ ଥରେ ଦେଖିବ ତାର ମତିଭ୍ରମ ହେବାଟା ଥୟ । ସେଥିପାଇଁ ତାକୁ ଯଦି ବାହାରକୁ କେବେ ଯିବାକୁ ହୁଏ ତେବେ ସେ ତା’ ରୂପକୁ ବିଗାଡି ଦିଏ ନଚେତ ଅନ୍ୟ କୌଣସି ବେଶ ଧାରଣ କରେ ।

ସନ୍ଧ୍ୟା ଗତ ହେଇ ବିତି ସାରିଥିଲା କିଛି ରାତି । ନୀଳ ଆକାଶରେ ଚନ୍ଦ୍ରମା ଖୁବ ସଜ ହେଇ ତା’ ରୁପା କିରଣ ଢାଳି ଦେଉଥାଏ । ଏଇପରି ଏକ ସୁନ୍ଦର ରଜନୀରେ ଚପଳା ପାଦ ପରେ ପାଦ ପକେଇ ଆଗକୁ ବଢି ଚାଲିଥିଲା । ଆଜି କିନ୍ତୁ ସେ ନା ନିଜ ରୂପକୁ ବିଗାଡି ଥିଲା ନା ଅନ୍ୟ କୌଣସି ରୂପ ଧରିଥିଲା । ନିଜ ଅସଲି ରୂପରେ ଆନମନା ହେଇ ଚାଲିଯାଉଥିଲା । କାନ୍ଧରେ ଝୁଲୁଥିଲା ତା’ କ୍ଷୀପ୍ରଚର ଥଳିଆ ଆଉ ଅଣ୍ଟାରେ ବନ୍ଧା ଥିଲା ଛୁରୀକା ଓ ରଜ୍ଜୁ । ଜଙ୍ଗଲ ରାସ୍ତାରେ ସେ ଚାଲିଥିଲା ଆଗକୁ ଆଗକୁ । ତେଜ ସିଂ ର ଚିନ୍ତା ତା’ ମନ ମସ୍ତିଷ୍କକୁ ଏମିତି ଆଚ୍ଛାଦିତ କରି ରଖିଥିଲା ଯେ ସେ ତା ଶରୀର ପ୍ରତି ଧ୍ୟାନ ଦେବାକୁ ଭୁଲି ଯାଇଥିଲା । ସେ ଏ କଥା ବି ଭୁଲି ଯାଇଥିଲା ସେ କୁଆଡେ ଯାଉଛି ଆଉ କଣ ପାଇଁ ଯାଉଛି ? ଏକ ଅଶରୀର ଆତ୍ମା ପରି ସେ ଖାଲି ଆଗକୁ ବଢି ଚାଲିଥିଲା । କଣ୍ଟାଝଟା , ଖାଲଢିପ କିଛି ନମାନି ସେ ଖାଲି ଚାଲି ଥିଲା ଆଗକୁ ଆଗକୁ । ଆଖିରୁ ଝରୁଥିଲା ଶ୍ରାବଣର ଧାରା । ମଝିରେ ମଝିରେ ସେ ଝୁଣ୍ଟି ପଡୁଥିଲା … ଗୋଡ଼ ଆଙ୍ଗୁଠି ଫାଟି ରକ୍ତ ବି ବାହାରୁଥିଲା … ହେଲେ ସେ ସବୁକୁ ତାର ନିଘା ନଥିଲା । ଏମିତି ଚାଲି ଚାଲି ସେ ଏକ ପାଣି ନାଳ ପାଖରେ ପହଞ୍ଚିଲା । ହେଲେ ରାସ୍ତା ପ୍ରତି ତାର କିଛି ଧ୍ୟାନ ନଥିବାରୁ ସେ ଆଗକୁ ବଢି ଗଲା ଆଉ ଦୁମ କରି ନାଳ ଭିତରେ ପଡିଲା । ମୁଣ୍ଡ ଫାଟି ରକ୍ତ ଝରିଲା । ପୋଷାକ ପତ୍ର ବି ସବୁ ପାଣିରେ ଭିଜି ଗଲା। ଏଥର ତାର ସମ୍ବିତ ଫେରି ଆସିଲା । ତାର ମନେ ପଡିଲା କି ସେ ତେଜ ସିଂ କୁ ଖୋଜିବାକୁ ବାହାରିଛି । ସେ ସାଥେସାଥେ କହି ପକେଇଲା-” ହେ ପ୍ରିୟ…ମୁଁ ତ ତୁମକୁ ଏକବାର ଭୁଲି ଯାଇଥିଲି । ତୁମକୁ ମୁକୁଳାଇବା ଚିନ୍ତା ମୋ ମନରୁ ପାଶୋର ହେଇ ଯାଇଥିଲା.. ଯାହା ପାଇଁ ମତେ ଏ ଦଣ୍ଡ ମିଳିଲା ।”

ଚପଳା ନିଜକୁ ସମ୍ଭାଳି ନେଲା । ଆଉ ଭାବିବାକୁ ଲାଗିଲା କି ସେ କେଉଁ ଜାଗାରେ ଅଛି ? ବହୁତ ସମୟ ଏଣେ ତେଣେ ଚାହିଁ ସେ ସ୍ଥାନକୁ ଚିହ୍ନିବାକୁ ଚେଷ୍ଟା କଲା । ହେଲେ କିଛି ବି ଜାଣି ପାରିଲା ନାହିଁ । ସେ ବୁଝି ପାରିଲା ଯେ ଭୟଙ୍କର ଘଞ୍ଚ ଜଙ୍ଗଲ ଭିତରେ ସେ ଫସି ସାରିଛି । ଡରରେ ତା’ ଦେହ କମ୍ପି ଉଠିଲା । ଏବେ ସେ କଣ କରିବ ? ତଥାପି ମନରେ ସାହସ ବାନ୍ଧିଲା । ସେ ସେଇ ପାଣି ନାଳ ପାଖରୁ ପଛକୁ ଫେରିବାକୁ ଲାଗିଲା ଆଉ ମନେ ମନେ ଚିନ୍ତା କଲା କି ଶିବଦତ୍ତଙ୍କ କ୍ଷୀପ୍ରଚର ମାନେ ହିଁ ତେଜ ସିଂ ଙ୍କୁ ବନ୍ଦୀ କରିଛନ୍ତି । ତେଣୁ ନିଶ୍ଚୟ ସେମାନେ ତାକୁ ଚୁନାରଗଡ଼ ନେଇ ଯାଇଥିବେ । ପ୍ରଥମେ ସେ ଚୁନାରଗଡ଼ ଯାଇ ସେଠି ଖୋଜାଖୋଜି କରିବ …ସେଠି ନମିଳିଲେ ଅନ୍ୟଆଡ଼େ ଦେଖିବ । ଏ କଥା ଭାବି ସେ ଚୁନାରଗଡ଼ ଯିବା ପାଇଁ ରାସ୍ତା ଖୋଜିବାକୁ ଲାଗିଲା । ହେଲେ ତାକୁ ରାସ୍ତା ମିଳୁଛି କେଉଁଠି ? ସେ ତ ବାଟ ଭୁଲି ଘଞ୍ଚ ଜଙ୍ଗଲରେ ପହଞ୍ଚି ସାରିଛି । ବହୁତ ଚେଷ୍ଟା କରିବା ପରେ ରାତି ଅଧ ବେଳକୁ ତାକୁ ରାସ୍ତା ମିଳିଲା । ସେ ସେଇ ପାହାଡିଆ ରାସ୍ତାରେ ଚୁନାରଗଡ଼କୁ ଯିବାକୁ ଲାଗିଲା ।

ରାତି ପାହି ଆସୁଥିଲା । ଚପଳା ନିଜକୁ ଏକ ପୁରୁଷ ସିପାହୀ ବେଶରେ ପରିବର୍ତ୍ତିତ କରି ଚୁନାରଗଡ଼ ଆଡେ ଆଗେଇ ଚାଲିଥିଲା । ଖାଇବା ତ ପରର କଥା ସେ ପାଟିରେ ଜଳ ମୁନ୍ଦିଏ ବି ନଦେଇ ଆଗକୁ ବଢି ଚାଲିଥିଲା । ତା’ ମୁଣ୍ଡରେ ଖାଲି ଗୋଟିଏ ଚିନ୍ତା …. ଯେମିତି ହେଉ ସେ ତେଜ ସିଂ କୁ ମୁକୁଳେଇବ । ଆଉ ସେ ମନେ ମନେ ଶପଥ କରି ନେଲା କି ଯେ ପର୍ଯ୍ୟନ୍ତ ତେଜ ସିଂ ର ଠିକଣା ଖୋଜି ନ ବାହାର କରିଛି ସେ ପର୍ଯ୍ୟନ୍ତ ଅନ୍ନ ଜଳ ସ୍ପର୍ଶ କରିବ ନାହିଁ । ଠିକ ସଂଜ ବେଳକୁ ସେ ଚୂନାରଗଡ଼ରେ ପହଞ୍ଚିଗଲା । ହେଲେ ସେ ବିଶ୍ରାମ ନକରି ନଗର ଭିତରେ ଏଣେ ତେଣେ ଘୁରି ବୁଲିଲା ଆଉ ତେଜ ସିଂ ର ଠିକଣା ଖୋଜିବାକୁ ଲାଗିଲା । କିନ୍ତୁ କୌଣସି ସୂଚନା ତାକୁ ନ ମିଳିବାରୁ ତା’ ମୁଣ୍ଡକୁ ଏକ ବୁଦ୍ଧି ଆସିଲା ।

ସେ ନିଜକୁ ପାନାଲାଲ ବେଶରେ ପରିବର୍ତ୍ତିତ କରି କ୍ଷୀପ୍ରଚର ଘସିଟା ସିଂ ଘରେ ପହଞ୍ଚିଲା । ଯେପରିକି ଆଗରୁ ବିଦିତ ଅଛି ଯେ ଶିବଦତ୍ତଙ୍କ ୬ କ୍ଷୀପ୍ରଚରଙ୍କ ଭିତରୁ ୪ ଜଣ ବିଜୟଗଡ଼ ଯାଇଥିଲେ । ଆଉ ଦୁଇଜଣ …ଘସିଟା ସିଂ ଓ ଚୁନ୍ନିଲାଲ ଚୁନାରଗଡ଼ରେ ରହିଥିଲେ । ଘସିଟା ସିଂ ପାନାଲାଲକୁ ଦେଖି ଠିଆ ହେଇ ଅଭିଵାଦନ କରି ପଚାରିଲା-” କୁହ ପାନାଲାଲ ଏଥର କାହାକୁ ଆଣି ଆସିଛ ?”
ପାନା-“ଏଥର ତ କାହାକୁ ଆଣିନି… କିନ୍ତୁ ଏଇ କିଛି ଦିନ ହେବ ନାଜିମର ପତ୍ତା ମିଳୁନି …ସେ ଏଠିକି ଆସିନି ତ ?”
ଘସିଟା-“କାହିଁ …ନାଇଁ ତ ?”
ପାନା-” ତା’ହେଲେ ତାକୁ କିଏ ଧରିନେଲା…? ସେପଟେ ତ ଆଉ କେହି କ୍ଷୀପ୍ରଚର ନାହାନ୍ତି …”
ଘସିଟା-“ସେ କଥା ମୁଁ କହି ପାରିବିନି,ସେଠି ଆଉ କେହି କ୍ଷୀପ୍ରଚର ଅଛନ୍ତି କି ନାହିଁ ….? ଖାଲି ତେଜ ସିଂ ର ନାଁ ଟା ପ୍ରସିଦ୍ଧ ଥିଲା… ସେ ତ ବନ୍ଦୀ ହେଇ କିଲ୍ଲା ଭିତରେ ମୁଣ୍ଡ କୋଡୁଥିବ …।”
ପାନା-“ଛାଡ଼ …. କିଛି କଥା ନାହିଁ… ଆଜି ନହେଲେ କାଲି ପତ୍ତା ଲାଗିଯିବ … ମୁଁ ଏଥର ଆସୁଛି … ଏଠି ବେଶୀ ସମୟ ରହି ପାରିବି ନାହିଁ …”

ଏତିକି କହି ନକଲି ପାନାଲାଲ ଓରଫ ଚପଳା ସେଠୁ ଚାଲି ଆସିଲା । ତେଜ ସିଂ ର ଠିକଣା ପାଇବା ପରେ ଏବେ ଯାଇ ତା’ ମନ ଘର ଧରିଲା । ସେ ମନେ ମନେ ଭାବିଲା ଆଉ ଚିନ୍ତା ନାହିଁ … ଠିକଣା ତ ମିଳି ଯାଇଛି, ଯେମିତି ବି ହେଉ ସେ ତେଜ ସିଂ କୁ ମୁକୁଳେଇବ । ଏକଥା ଭାବି ସେ ଗଙ୍ଗା କୂଳକୁ ଚାଲିଗଲା । ସେଇଠି ବସି ତା’ ଥଳୀରୁ କିଛି ଫଳ ବାହାର କରି ଖାଇଲା । ଖାଇ ସାରି ନଦୀରୁ ପେଟ ଭରି ପାଣି ପିଇ ଶାନ୍ତ ପଡିବା ପରେ ନିଜକୁ ଏକ ସୁନ୍ଦରୀ ଗାୟିକା ରୂପରେ ପରିବର୍ତ୍ତିତ କଲା । ତା’ ପରେ ହାତରେ ଏକ ବଂଶୀ ଧରି ମହଲର ପଛ ପଟକୁ ଚାଲିଗଲା । ସେଠି ଏକ ପରିଷ୍କାର ଜାଗାରେ ବସିଯାଇ ଖୁବ ଉଚ୍ଚ ସ୍ୱରରେ ଏକ ବିରହ ଗୀତ ଗାଇବାକୁ ଲାଗିଲା । ଗୀତ ଗାଇ ସାରିବା ପରେ ସେଇ ସ୍ୱରକୁ ପୁଣି ସେ ବଂଶୀରେ ବି ବଜେଇଲା ।
ଅଧରାତିରୁ ଅଧିକ ହେବ କି କଣ । ମହାରାଜ ଶିବଦତ୍ତ ଅନ୍ତପୁରରେ ମହାରାଣୀଙ୍କ ସହିତ ପ୍ରେମାଳାପ କରୁଥିଲେ । ଏତିକି ବେଳେ ସେ ଗୀତର ସ୍ୱର ତାଙ୍କ କର୍ଣ୍ଣରେ ଗୁଞ୍ଜରି ଉଠିଲା । ଦୁହେଁ ବାର୍ତ୍ତାଳାପ ବନ୍ଦ କରି ସେ ଗୀତ ଶୁଣିବାକୁ ଲାଗିଲେ । ପରେପରେ ବଂଶୀ ସ୍ଵନ ବି ଭାସି ଆସିଲା । ମହାରାଜଙ୍କ ହୃଦୟ ସେ ସ୍ୱରରେ ବିଳପି ଉଠିଲା । ମତୁଆଲା ହେଇଗଲା ତାଙ୍କ ମନ । ସେ ଆଉ ସ୍ଥିର ରହି ନପାରି ଦାସୀକୁ ଡାକି କହିଲେ-“କାହାକୁ କୁହ ସେ ଯାଇ ଏ ଗୀତ ଗାଉଥିବା ଲୋକଟିକୁ ମହଲ ପାଖକୁ ନେଇ ଆସିବ …”

କ୍ରମଶଃ

Please follow and like us:
0
20
Pin Share20