Chandrakanta: Episode 25

           ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରାଐତିହାସିକ କାହାଣୀ

ଆଦେଶ ପାଇବା ପରେ କେତେଜଣ ପ୍ରତିହାରୀ ଦୌଡ଼ିଗଲେ ସେ ସ୍ୱର ଆସୁଥିବା ଦିଗକୁ  ଆଉ ଦେଖିଲେ  ଜଣେ ଅପୂର୍ବ  ସୁନ୍ଦରୀ ମହଲ ପଛ ପଟ ଆମ୍ବ ଗଛ ତଳେ ବସି ଗୀତ ଗାଉଛି । ତା’ ରୂପ ଲାବଣ୍ୟ ଦେଖି ପ୍ରତିହାରୀଙ୍କର  ଆଖି ଖୋସି ହେଇଗଲା । ଅପଲକ ନୟନରେ ଚାହିଁ ରହିଲେ ତାକୁ ।  କିଛି ସମୟ ସେହିପରି ଚାହିଁବା ପରେ ମହାରାଜଙ୍କ ଆଦେଶ ମନେ ପଡିବାରୁ ସେମାନେ କହିବାକୁ ଲାଗିଲେ -” ଆମ ମହାରାଜ ଆପଣଙ୍କୁ ମହଲ ପାଖକୁ ଡାକିଛନ୍ତି ଆଉ ଆପଣଙ୍କର ଗୀତ ଶୁଣିବା ପାଇଁ ମନ ବଳେଇଛନ୍ତି ।” ଚପଳା ତାଙ୍କୁ ମନା ନକରି ତାଙ୍କ ସହ ମହଲ ପାଖକୁ ଆସି ଗୀତ ଗାଇବାକୁ ଲାଗିଲା । ତା’ ଗୀତରେ କି ଯାଦୁ ଥିଲା କେଜାଣି ମହାରାଜଙ୍କ ହୃଦୟର ତନ୍ତୁ ସବୁ ଝଣ ଝଣ କରି ଝଙ୍କୃତ ହେବାରେ ଲାଗିଲା । ସେ ଆଉ ନିଜକୁ ରୋକି ନପାରି ତାକୁ ମହଲର ବୈଠକୀ ଘରକୁ ଡକେଇ ଆଣିଲେ । ଆଉ ଆଦେଶ ଦେଇ କହିଲେ-” ବୈଠକୀରେ ତୁରନ୍ତ ଆଲୋକର ବନ୍ଦୋବସ୍ତ କର ମୁଁ ଯାଇ ପହଞ୍ଚୁଛି ।” ମହାରାଣୀ କହିଲେ-“ସ୍ୱରରୁ ତ ଜଣା ପଡୁଛି ସେ ଜଣେ ସ୍ତ୍ରୀ ଲୋକ … ତେଣୁ ତାକୁ ଅନ୍ତପୁରକୁ ଡକେଇ ଅଣାଯାଉ ।” ମହାରାଜ କହିଲେ-“ପ୍ରଥମେ ମୁଁ ଦେଖି ପରଖି ସାରେ… ତା’ ପରେ ଯାହା ଠିକ ଲାଗିବ କରାଯିବ… ଯଦି ସେ ଏଠାକୁ ଆସିବା ଯୋଗ୍ୟ ହେଇଥିବ ତେବେ ତାକୁ ନିଶ୍ଚୟ ଏଠାକୁ ଅଣାଯିବ ।”

ଆଦେଶ ଅନୁସାରେ ସବୁ ପ୍ରକାର ବନ୍ଦୋବସ୍ତ ହେଇଗଲା । ମହାରାଜ ବୈଠକୀ ଘରେ ବିରାଜମାନ କଲେ । ଚପଳା ତାଙ୍କୁ ମୁଣ୍ଡ ନୁଆଇଁ ଅଭିବାଦନ କଲା । ମହାରାଜ ଦେଖିଲେ ଏକ ସୁନ୍ଦରୀ ତରୁଣୀ,ଗୋରା ରଙ୍ଗ, ଈଷତ କଳା ରଙ୍ଗର ଶାଢ଼ୀକୁ ସେ ଦକ୍ଷିଣୀ ଢଙ୍ଗରେ ପିନ୍ଧିଥିଲା ଯାହାର ପଣତରେ ଲତାପତ୍ରର ଜରିକାମ ହେଇଥିଲା । ସୁଦୀର୍ଘ ବେଣୀକୁ ଏକ ବଡ଼ ଖୋସା କରି ସେଥିରେ ଏକ ସୁନାର ଫୁଲ ଲଗେଇଥିଲା । ମଥାରେ ଥିଲା ଏକ ବଡ଼ ଟୀକା। କାନରେ ଏକ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ସୁନାର ଝରା ପିନ୍ଧିଥିଲା । ନାକରେ ଥିଲା ସୁନାର ଗୁଣା, ବେକରେ ଚନ୍ଦ୍ରମାଳି ହାର, ହାତରେ ସୁନାର କଙ୍କଣ , ଅଣ୍ଟାରେ ସୁନାର କମରପଟ୍ଟୀ ବାନ୍ଧି ସେ ଅପସରା ପରି ଝଲସି ଉଠୁୂଥିଲା । କୌଣସି ନାରୀ ଗହଣା ପିନ୍ଧିଲେ ସୁନ୍ଦର ଦେଖାଯାଇଯାନ୍ତି ହେଲେ ଏଠି କଥାଟା ଓଲଟା । ଏତେ ସବୁ ଗହଣା ପିନ୍ଧି ଥିବାରୁ ଚପଳା ସୁନ୍ଦର ଦେଖା ଯାଉନଥିଲା ବରଂ ଚପଳାର ସୁନ୍ଦରତା ପାଇଁ ସେ ଗହଣା ସବୁ ଚମକୁ ଥିଲେ । ଏମିତି ମୁନି ମନଜିଣା ରୁପକୁ ଦେଖିବା ପରେ ମହାରାଜ ଶିବଦତ୍ତ ନିଜ ମନକୁ ଆଉ କାବୁ କରି ପାରୁନଥିଲେ । ସେ ଭୁଲିଯାଇଥିଲେ ନିଜର ମହାରାଣୀଙ୍କୁ  । ଆଉ ମୁହଁରୁ ତାଙ୍କର ସ୍ୱତଃପୃତଃ  ବାହାରି ଆସୁଥିଲା ଯୋଡିଏ ଶବ୍ଦ -“ବାଃ…ଅପୂର୍ବ…” ମହାରାଜଙ୍କ ଅମାନିଆ ଆଖି ଯୋଡିକ ଚପଳାର ତାଳୁରୁ ତଳିପା ଯାଏ ଘୁରି ବୁଲୁଥିଲା । ସେ ଆଉ ମୂର୍ଛି ନପାରି ଚପଳାକୁ ଡାକି କହିଲେ-” ଆସ.. ସୁନ୍ଦରୀ… ମୋ ପାଖରେ ବସ ।” ଚପଳା ନିଜ ଅଣ୍ଟାରେ  ହାତ ଦେଇ ତ୍ରିଭଙ୍ଗି  ଠାଣିରେ ହଲିଦୋହଲି ଆଖିକୁ ନଚେଇ ମହାରାଜଙ୍କ ପାଖରେ ଯାଇ ବସିଗଲା । ମହାରାଜ ଚପଳାର ରୂପର ଯାଦୁରେ ମୋହିତ ହେଇ ସାରିଥିଲେ । ତାଙ୍କ ମୁହଁରୁ କୌଣସି କଥା ବାହାରୁ ନଥିଲା । ସେ ଖାଲି ସତୃଷ୍ଣ ନୟନରେ ଚାହିଁ ରହିଥିଲେ ଚପଳାର ସୁନ୍ଦର ଅବୟବକୁ । କିଛି ସମୟ ଏହିପରି କଟିଯିବା ପରେ ସେ ପଚାରିଲେ-“ସୁନ୍ଦରୀ.. ତୁମର ଘର କେଉଁଠି ? ତୁମେ କିଏ ? କେଉଁ କାମ କର ? ତୁମ ପରି ଏତେ ସୁନ୍ଦରୀ ଯୁବତୀ ଏକୁଟିଆ ଏତେ ରାତିରେ ….? ମତେ ତ ଆଶ୍ଚର୍ଯ୍ୟ ଲାଗୁଛି ।” ଚପଳା କହିଲା-” ମୋ ଘର ଗୋଆଲିୟର … ପଟାଲାପା କଥକଙ୍କ ଝିଅ ମୁଁ । ମୋ ନାଁ ରମ୍ଭା । ମୋ ବାପା ସେଠାକାର ପ୍ରସିଦ୍ଧ ଗାୟକ । ଗୋଟେ ଟୋକାକୁ ପ୍ରେମ କରି ବାହା ହେଇ ପଡିଲି । ହେଲେ ଦିନେ ଆମର ଝଗଡା ଲାଗିବାରୁ ସେ ଘର ଛାଡି କୁଆଡେ ଚାଲିଗଲା । ତାକୁ ହିଁ ଖୋଜି ଖୋଜି ମୁଁ ଏଣେ ତେଣେ ବୁଲୁଛି । କଣ କରିବି … ? ମୁଁ ପ୍ରାୟ ସବୁ ଦରବାରକୁ ଯାଏ .. କାଳେ ସିଏ ସେଠି ମିଳିଯିବ । କାହିଁକି ନା ସେ ବି ଜଣେ ବଡ଼ ଗାୟକ । ମୁଁ ଭାବୁଛି ସେ ନିଶ୍ଚୟ କୋଉ ରାଜାଙ୍କ ଦରବାରରେ ଚାକିରୀ କରିଥିବ । ଆଜି ଆପଣଙ୍କ ରାଇଜରେ ଆସି ପହଞ୍ଚିଲି  । ତା’ କଥା ମନେ ପଡିଗଲା ତେଣୁ ଗୀତଟି ଗାଉଥିଲି … ଆଉ ଆପଣ ମତେ ଡକେଇଲେ…”

ମହାରାଜ କହିଲେ-“ତୁମର କଣ୍ଠ ବହୁତ ସୁନ୍ଦର । ଯଦି ତୁମର କିଛି ଅସୁବିଧା ନାହିଁ ତେବେ ଆଉ ଗୋଟେ ଗୀତ ଗାଅ  । ମୁଁ ତୁମକୁ ଭଲ କରି ଶୁଣିବାକୁ ଚାହେଁ ।” ଚପଳା କହିଲା-“ଏଥିରେ ଅସୁବିଧା କଣ ? ଏ ଅକିଞ୍ଚନାକୁ ଆପଣ ଡକେଇ ପାଖରେ ବସେଇଛନ୍ତି ଆଉ ଆପଣ ନିଜେ ମୋଠୁ ଗୀତ ଶୁଣିବାକୁ ଚାହୁଁଛନ୍ତି ଏହାଠାରୁ ବଳି ସମ୍ମାନ ଆଉ କଣ ଅଛି ? ଯଦି ଆପଣ ମତେ ଶୁଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବାଦ୍ୟମଣ୍ଡଳୀକୁ ଡାକନ୍ତୁ … ବାଦ୍ୟ ସଙ୍ଗତରେ ମୋ ଗୀତ ଆହୁରି ଭଲ ଲାଗିବ ।”

ଏକଥା ଶୁଣିବା ପରେ ମହାରାଜ ବହୁତ ଖୁସି ହେଇଗଲେ ଆଉ ଆଦେଶ ଦେଇ କହିଲେ-“ସମସ୍ତ ବାଦ୍ୟକାରଙ୍କୁ ତୁରନ୍ତ ଉପସ୍ଥିତ ହେବାକୁ କୁହାଯାଉ ।” ଆଦେଶ ଶୁଣିବା ପରେ ପ୍ରତିହାରୀ ମାନେ ଦୌଡ଼ି ଗଲେ ବାଦ୍ୟକାରଙ୍କ ଘରକୁ ଆଉ ତାଙ୍କୁ ରାଜାଙ୍କ ଆଦେଶ ଶୁଣାଇ ଦେଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଇ କହିଲେ ରାତିର  ତୃତୀୟ ପ୍ରହରରେ କି ସଂଗୀତ ସମାଗମ ହେବ ? ହେଲେ ତାଙ୍କୁ କହିବ କିଏ ? ରାଜା ଗୋଜା… ନମାନିଲେ…ମିଳିବ ସଜା…ବାଧ୍ୟ ହେଇ ନିଜ ସାଜସମାନ ଧରି ବୈଠକୀରେ ହାଜର ହେଲେ । ସେମାନେ ସିନା ଏତେ ରାତିରେ ଆସିବାକୁ କୁନ୍ଥୁକୁନ୍ଥୁ ହେଉଥିଲେ ହେଲେ ଏଠି ଆସି ସେ ଅପୂର୍ବ ସୁନ୍ଦରୀକୁ  ଦେଖିଦେଲା ପରେ ସେମାନଙ୍କ ମନ ଏକବାରେ ଖୁସି ହେଇଗଲା । ଝଟପଟ  ସଙ୍ଗତରେ ବସି ପଡିଲେ । ଚପଳା ଗୀତ ଗାଇବା ଆରମ୍ଭ  କଲା । ସେ ଗୀତ ଶୁଣି ମହାରାଜ ମୂର୍ତ୍ତିବତ ସ୍ଥିର ହେଇଗଲେ ଆଉ ବାଦ୍ୟକାର ମାନେ ବି ଚକିତ ହେଇ ପଡିଲେ । ଚପଳା ଯେଭଳି ଢଙ୍ଗରେ ଗୀତ ଗାଇବାକୁ ଲାଗିଲା ତାକୁ ସଂଗତ ଦେବାକୁ ଯାଇ ଏମାନେ ନାକେଦମ ହେଇଗଲେ ।ସେମାନଙ୍କର ସବୁ କଳାନୈପୁଣକୁ ସେଠି ଉପଯୋଗ କରିବାକୁ ପଡିଲା । ଅସମୟରେ ସଙ୍ଗୀତ ଆସର ଶୁଣି ମହଲର ଲୋକେ ବି ଜମା ହେଇଗଲେ । ରାଗ ଦରବାରୀର ଦୁଇଟି ଗୀତ ନସରୁଣୁ ରାତି ପାହିଗଲା । ତା’ ପରେ ଚପଳା ରାଗ ଭୈରବୀ ଗାଇ ସାରିବା ପରେ ନିଜ ସଂଗୀତକୁ ବନ୍ଦ କରି କହିଲା-“ମହାରାଜ ଏବେ ସକାଳ ହେଇଗଲାଣି ,ମୁଁ ବହୁତ ଥକି ଯାଇଛି କାହିଁକି ନା କାଲି ବହୁତ ଦୂରରୁ ଚାଲି ଚାଲି ଆସିଥିଲି । ଆଜ୍ଞା ହେଲେ ମୁଁ ଟିକେ ବିଶ୍ରାମ ନିଅନ୍ତି ।”  ଚପଳା କଥା ଶୁଣି ମହାରାଜ ଚମକି ଉଠିଲେ । କେତେବେଳେ ରାତି ପାହି ସକାଳ ହେଲାଣି ତାଙ୍କୁ ମାଲୁମ ନଥିଲା । ସେ ଚାହିଁ ଦେଖିଲେ, ସତକୁ ସତ ସକାଳ ହେଇ ସାରିଥିଲା । ସେ ନିଜ ଗଳାରୁ  ଏକ ମୋତିହାର ବାହାର କରି ଚପଳାକୁ  ପୁରସ୍କୃତ କଲେ ଆଉ କହିଲେ-” ତୁମ ଗୀତ ଶୁଣି ମୋ ମନ ଏ ଯାଏ ଭରିନି, ତୁମେ କିଛି ଦିନ ଏଠାରେ ରହିଯାଅ ତାପରେ ଚାଲିଯିବ ।” ଚପଳା କହିଲା-“ଯଦି ମହାରାଜଙ୍କର ଏ ଦାସୀଟା ଉପରେ ଏତେ ଦୟା ଆସିଛି ତେବେ ମୋର ଏଠି ରହିବାରେ କିଛି ଅସୁବିଧା ନାହିଁ ।”

ମହାରାଜ ଆଦେଶ ଦେଲେ କି ରମ୍ଭା ଓରଫ ଚପଳାର ରହିବାର ସବୁ ବନ୍ଦୋବସ୍ତ କରାଯାଉ  ଆଉ  ରାତିରେ ସଂଗୀତ ଆସର ପାଇଁ  ବ୍ୟବସ୍ଥା ହେଉ । ଆଦେଶ ମିଳିବା ପରେ ସବୁ ପ୍ରକାର ବନ୍ଦୋବସ୍ତ କରାଗଲା । ରମ୍ଭା ପାଇଁ ଏକ ସୁନ୍ଦର ଘର ଯେଉଁଠାରେ ଦାସଦାସୀ ଭରା ପଡ଼ିଥିଲେ ବ୍ୟବସ୍ଥିତ ହେଇଗଲା ।

କ୍ରମଶଃ

Please follow and like us:
0
20
Pin Share20